ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ କରାଯାଉଅଛି । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ଥିବା ପ୍ରତ୍ୟେକ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଧରପଗଡ ଅଭିଯାନ କରାଯାଉଛି । ଭୁବନେଶ୍ୱର କମିଶନରେଟ୍ ପୁଲିସର ବିଭିନ୍ନ ଥାନା ଅନ୍ତର୍ଗତ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି/ଆଡା ତଥା ଯାନବାହାନ ଯାଞ୍ଚ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଜୋରିମନା ମଧ୍ୟ ଆଦାୟ କରାଯାଉଅଛି । ଏହି କ୍ରମରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଖଣ୍ଡଗିରି ଥାନା, ଲକ୍ଷ୍ମୀସାଗର ଥାନା, ଶହୀଦନଗର ଥାନା, ମଞ୍ଚେଶ୍ୱର ଥାନା, ନୟାପଲ୍ଲୀ ଥାନା, ଚନ୍ଦ୍ରଶେଖରପୁର ଥାନା, ପାହାଳ ଥାନା ଓ ଲିଙ୍ଗରାଜ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଧରପଗଡ କରାଯାଇଥିଲା । ଏହି ଧରପଗଡ ଅଭିଯାନ ସମୟରେ ମୋଟ ୭୩ ଜଣ ନିୟମ ଉଲଙ୍ଘନକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଓଡିଶା ସହରାଞ୍ଚଳ ପୁଲିସ ଆଇନ୍ ଅନୁଯାଇ ମୋଟ ୩୬ ହଜାର ୫୦୦ ଟଙ୍କା ଜୋରିମନା ଆକାରରେ ଆଦାୟ କରାଯାଇଛି ।