ପୁରୁଷୋତ୍ତମପୁର: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଗୁରୁତ୍ୱ ଦେଇଛି ପୁରୁଷୋତ୍ତମପୁର ପୁଲିସ୍ । ଆଜି ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପୀୟୂଷ ରଞ୍ଜନ ଛୋଟରାୟଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଗ୍ରାମରେ ଚଢ଼ଉ ହୋଇଛି । ଦୁଇ ଜଣ ଦୀର୍ଘଦିନ ହେଲା ଫେରାର ଥିବା ଅପରାଧୀଙ୍କୁ ପଳାତକ ଘୋଷଣା କରାଯାଇଛି ।
ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଶିପୁର ଗ୍ରାମର ବାପୁଜୀ ବେହେରା ଓ ଭାବନ୍ଧ ଗ୍ରାମର କାଦୁ ଓରଫ ଅରୁଣ କୁମାର ଦାସ ବୋଲି ଜଣାପଡିଛି । ଏନେଇ ଥାନା ଏସ୍ଆଇ ସୁନିଲ କୁମାର ପ୍ରଧାନ ଓ ଏଏସ୍ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସଦଳବଳ ଉପରୋକ୍ତ ଅପରାଧୀଙ୍କ ଘରକୁ ଯାଇ ନୋଟିସ୍ ଜାରି କରି ଡାକବାଜି ଯନ୍ତ୍ର ଯୋଗେ ଗ୍ରାମରେ ସୂଚନା ଦିଆଯାଇଛି ।
ଦୀର୍ଘ ଦିନ ହେଲା କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କୋର୍ଟରେ ହାଜର ହେଉନାହାନ୍ତି ଉଭୟ ଅପରାଧି । ଏଣୁ ଆଇନର ଦଫା ଅନୁସାରେ ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଅପରାଧୀଙ୍କୁ ପଳାତକ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ ୧୫ ତାରିଖ ମଧ୍ୟରେ କୋର୍ଟରେ ହାଜର ନ ହେଲେ ଆଗାମୀ ଦିନରେ ଏହି ଅପରାଧୀଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ଲାଗି ସୂଚାଇ ଦିଆଯାଇଛି ।