ନୂଆଦିଲ୍ଲୀ: ୟୁକ୍ରେନ୍ ସମସ୍ୟା ଉପରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ୨୫ ମିନିଟ୍ର ଏହି କଥାବର୍ତ୍ତା ଅବସରରେ ପୁଟିନ୍ ୟୁକ୍ରେନ୍ର ସଦ୍ୟତମ ସ୍ଥିତି ସମ୍ପର୍କରେ ମୋଦୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ରୁଷ୍ ଏବଂ ନାଟୋ ମଧ୍ୟରେ ଥିବା ମତଭେଦ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ବୋଲି ମୋଦୀ ଦୋହରାଇଥିଲେ । ସେହିପରି ଯୁୂଦ୍ଧର ତୁରନ୍ତ ଅନ୍ତ ଘଟାଇବା ନିମନ୍ତେ ପୁଟିନ୍ଙ୍କୁ ଅନୁରୋଧ କରିବା ସହ କୂଟନୈତିକ ଆଲୋଚନା ଆରମ୍ଭ ପାଇଁ ଉଭୟ ପକ୍ଷ ଉଦ୍ୟମ ଆରମ୍ଭ କରିବାକୁ କହିଥିଲେ ।
ୟୁକ୍ରେନ୍ରେ ଥିବା ଭାରତୀୟ ବିଶେଷକରି ଛାତ୍ରଙ୍କ ସୁରକ୍ଷା ନେଇ ଦେଶର ଚିନ୍ତା ସମ୍ପର୍କରେ ମୋଦୀ ରୁଷ୍ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ସେମାନଙ୍କ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ଭାରତ ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି ମୋଦୀ ତାଙ୍କୁ ଜଣାଇଥିଲେ । ବିଭିନ୍ନ ପ୍ରସଙ୍ଗ ନେଇ ଦୁଇଦେଶର ଅଧିକାରୀ ଓ କୂଟନୈତିକ ଟିମ୍ ଲଗାତାର ସମ୍ପର୍କ ବଜାୟ ରଖିବେ ବୋଲି ଦୁଇ ନେତା ରାଜି ହୋଇଥିଲେ ।