କ୍ବାଲା ଲମ୍ପୁର: ମାଲେସିଆର ସେଣ୍ଟ୍ରାଲ ସେଲାଙ୍ଗୋର ରାଜ୍ୟରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଗତକାଲି(ଗୁରୁବାର) ଅପରାହ୍ନରେ ଗୋଟିଏ ବିମାନ ଲ୍ୟାଣ୍ଡିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଖସିପଡିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ବିମାନ ଯାତ୍ରୀଙ୍କ ସହ ୨ ଜଣ କ୍ରୁ ସଦସ୍ୟ ଓ ଦୁଇ ଜଣ ସାଧାରଣ ଲୋକ ଅଛନ୍ତି । ବିମାନ ହଠାତ୍ ରାସ୍ତା ଉପରେ ମାଡି ଯାଇ ଏକ କାର୍ ଓ ବାଇକ ସହ ଧକ୍କା ହୋଇଥିଲା ଏବଂ ଏହାପରେ ଜଳି ଯାଇଥିଲା ।
ମାଲେସିଆ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମୁଖ୍ୟ ନୋରଜମାନ ମହମ୍ମଦ କହିଛନ୍ତି ଯେ, ଅପରାହ୍ନରେ ବିମାନଟି ଲ୍ୟାଙ୍ଗକାବ ବିମାନ ବନ୍ଦରରୁ ଉଡାଣ ଭରିଥିଲା । ଏହା ରାଜଧାନୀ କ୍ବାଲା ଲାମ୍ପୁରର ସେଲାଙ୍ଗୋର ରାଜ୍ୟ ସ୍ଥିତ ସୁଲତାନ ଅବଦୁଲ ଅଜିଜ୍ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିଥାନ୍ତା । କିନ୍ତୁ ଲ୍ୟାଣ୍ଡିଂ ଉଦ୍ୟମ କରୁଥିବା ବେଳେ ରନୱେ ବଦଳରେ ଏହା ଚାରି ଲେନ ବିଶିଷ୍ଟ ବ୍ୟସ୍ତବହୁଳ ରାସ୍ତା ଉପରେ ଖସି ପଡିଥିଲା । ଏହାପରେ ରାସ୍ତାରେ ଯାଉଥିବା ଗୋଟିଏ କାର୍ ଓ ବାଇକକୁ ଧକ୍କା ଦେଇ ବିସ୍ଫୋରଣ ହୋଇଯାଇଥିଲା । ଦୁର୍ଘଟଣା ସମୟରେ ବିମାନରେ ୬ ଜଣ ଯାତ୍ରୀ ଓ ୨ କ୍ରୁ ଥିଲେ । ସେହିପରି ଉକ୍ତ ବାଇକ ଓ କାରରେ ଜଣେ ଲେଖାଏଁ ଲୋକ ଥିବାବେଳେ ସମସ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି ।