17.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଚୀନ୍‌ରେ ବିମାନ ଦୁର୍ଘଟଣା, ୧୩୨ ମୃତ

ଚୀନ୍‌ରେ ବିମାନ ଦୁର୍ଘଟଣା, ୧୩୨ ମୃତ

ବେଜିଂ: ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ସୋମବାର ଚୀନ୍‌ର ଗୁଆଙ୍ଗ୍‌ସି ପ୍ରଦେଶ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ସେଥିରେ ଥିବା ୧୨୩ ଯାତ୍ରୀ ଓ ୯ ବିମାନ କର୍ମଚାରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏହି ବୋଇଙ୍ଗ୍‌-୭୩୭ ବିମାନଟି ଅପରାହ୍ନ ୧.୧୫ରେ ୟୁନାନ୍ ପ୍ରଦେଶର କୁନ୍‌ମିଙ୍ଗ୍ ବିମାନବନ୍ଦରରୁ ଗୁଆଙ୍ଗ୍‌ଝୌ ଅଭିମୁଖେ ଯାତ୍ରାରମ୍ଭ କରିଥିଲା । ତେବେ ବିମାନଟି ୱଝାଓ ସହର ଉପରେ ଉଡୁଥିବାବେଳେ ଏଟିସି (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ) ଟାୱାର ସହ ସମ୍ପର୍କ ବିଚ୍ଛିନ୍ନ ହୋଇପଡିଥିଲା । ଏହାପରେ ବିମାନଟି ନିୟନ୍ତ୍ରଣ ହରାଇ ତଳକୁ ଦ୍ରୁତଗତିରେ ଖସିବା ସହ ନିକଟସ୍ଥ ପାହାଡରେ ପିଟିହୋଇ ଧ୍ୱଂସ ପାଇଥିଲା । ମୃତାହତଙ୍କ ସଂଖ୍ୟା ଏବେମଧ୍ୟ ଅସ୍ପଷ୍ଟ ରହିଛି । ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବାରୁ କେହି ଜୀବିତ ଥିବାର ଆଶା ଅତ୍ୟନ୍ତ କ୍ଷୀଣ ବୋଲି ଉଦ୍ଧାରକାରୀ ଦଳ ଆଶଙ୍କାବ୍ୟକ୍ତ କରିଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ତେବେ ଦୁର୍ଘଟଣାସ୍ଥଳରୁ ବ୍ଲାକବକ୍ସ (ଫ୍ଲାଇଟ୍ ଡାଟା ରେକର୍ଡର ଓ କକ୍‌ପିଟ୍ ଭଏସ ରେକର୍ଡର) ଉଦ୍ଧାର କରାଗଲେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି । ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ସମୟରେ ବିମାନଟି ଭୂପୃଷ୍ଠରୁ ୨୧,୯୦୦ ଫୁଟ ଉଚ୍ଚରେ ଉଡୁଥିବାବେଳେ ଏହାର ବେଗ ଘଣ୍ଟାପ୍ରତି ୩୭୬ ନଟ୍ ଥିଲା ବୋଲି ଜଣାପଡିଛି । ତେବେ ୩ ମିନିଟ ମଧ୍ୟରେ ଏହାର ଅଲଟିଚ୍ୟୁଡ୍ ୨୬୦୦୦ ଫୁଟ ଖସିବାରୁ ଏହା ପାହାଡରେ ପିଟି ହୋଇଥିଲା । ଅପରପକ୍ଷରେ ମୃତକଙ୍କ ମଧ୍ୟରେ କୌଣସି ବିଦେଶୀ ନାଗରିକ ନଥିବା ଚୀନ୍ ସରକାର ସ୍ପଷ୍ଟ କରିଛନ୍ତି । ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ୨୦୧୫ରେ ବିମାନଟି କିଣିଥିଲା । ଦୁର୍ଘଟଣାପରେ ସଂପୃକ୍ତ ଏୟାରଲାଇନ୍ସ ପକ୍ଷରୁ ସମସ୍ତ ବୋଇଙ୍ଗ୍‌-୭୩୭ ବିମାନର ଉଡାଣକୁ ରଦ୍ଦ କରାଯାଇଛି । ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏୟାରଲାଇନ୍ସର ୱେବ୍‌ସାଇଟ୍‌କୁ କଳାଧଳାରେ ଚିତ୍ରଣ କରାଯାଇଛି । ସୂଚନାଯୋଗ୍ୟ ଚୀନ୍‌ରେ ବିମାନ ଚଳାଚଳ ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ଥିବାର ରେକର୍ଡ ରହିଛି । ୨୦୧୦ରେ ଶେଷଥର ପାଇଁ ଚୀନ୍ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ୯୬ ମଧ୍ୟରୁ ୪୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking