ନୂଆଦିଲ୍ଲୀ: ସାରା ବିଶ୍ବକୁ ସ୍ତବ୍ଧ କରିଛି ଅହମ୍ମଦାବାଦ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ କେବଳ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ଯାଇଛି ତାହା ନୁହେଁ । ଯେଉଁ ମେଡିକାଲ ଛାତ୍ରାବାସ ଉପରେ ବିମାନ ମାଡ଼ ହୋଇଥିଲା, ସେହି ଛାତ୍ରାବାସର କିଛି ଛାତ୍ର ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କର ମଧ୍ୟ ଏହି ଭୟଙ୍କର ଦୁର୍ଘଟଣାରେ ଜୀବନ ଯାଇଛି । ଗତକାଲି ଅପରାହ୍ଣରେ ବିମାନ ଉଡ଼ାଣ ଭରିବାର ମାତ୍ର ଦୁଇ ମିନିଟ୍ ମଧ୍ୟରେ ଏହା ଦୁର୍ଘଟଣାଗସ୍ତ ହୋଇଥିଲା । ଆଜି ବି ଘଟଣାସ୍ଥଳରେ ଦୁର୍ଘଟଣାର ଭୟାବହତା ଦେଖିବାକୁ ମିଳିଛି । ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ବି ଭେଟିଛନ୍ତି । ସ୍ଥିତି ପରଖିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।