19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଗେହଲଟ୍‌ଙ୍କ ବିରୋଧରେ ପାଇଲଟ୍‌ଙ୍କ ଯୁଦ୍ଧ ଘୋଷଣା; ଭ୍ରଷ୍ଟାଚାର ବିରୋଧରେ କରିବେ ଅନଶନ

ଗେହଲଟ୍‌ଙ୍କ ବିରୋଧରେ ପାଇଲଟ୍‌ଙ୍କ ଯୁଦ୍ଧ ଘୋଷଣା; ଭ୍ରଷ୍ଟାଚାର ବିରୋଧରେ କରିବେ ଅନଶନ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ କ୍ଷମତାସୀନ କଂଗ୍ରେସ ପାର୍ଟିରେ ପୁଣିଥରେ କନ୍ଦଳ ଦେଖାଦେଇଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ବସୁନ୍ଧରା ରାଜେଙ୍କ ନେତୃତ୍ୱାଧୀନ ଗତ ବିଜେପିର ସରକାରର ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ପାଇଲଟ୍ ଦିନିକିଆ ଅନଶନ କରିବାକୁ ଘୋଷଣା କରିଛନ୍ତି ।

ନିଜ ବାସଭବନରେ ରବିବାର ଡକାଇଥିବା ଏକ ପ୍ରେସ୍ କନ୍‌ଫରେନ୍ସରେ ପାଇଲଟ୍ କହିଛନ୍ତି, ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଉପରେ କଂଗ୍ରେସ ସରକାର କାମ କରୁଛନ୍ତି ଲୋକଙ୍କୁ ଆଶ୍ୱସ୍ତ କରିବାର ଆବଶ୍ୟକତା ଥିଲା । ସେ କହିଛନ୍ତି ସରକାର ଅବକାରୀ ମାଫିଆ, ଅବୈଧ ଖନନ, ଜମି କବ୍‌ଜା ଏବଂ ଲଳିତ ମୋଦୀ ଆଫିଡେଭିଟ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ଭ୍ରଷ୍ଟାଚାର ଏବଂ କୁଶାସନ ଅଭିଯୋଗ ଆଣିବା ସହିତ ଗେହଲଟ୍‌ଙ୍କ ପୁରୁଣା ଭିଡିଓ ଦେଖାଇ ଏହି ମାମଲାରେ ସେ କୌଣସି ଯାଞ୍ଚ୍ କାହିଁକି ଆରମ୍ଭ କରିନାହାନ୍ତି ବୋଲି ପାଇଲଟ୍ ପ୍ରଶ୍ନ କରିଛନ୍ତି ।

ଏହା ସହିତ ସେ କହିଛନ୍ତି, ପୂର୍ବତନ ବିଜେପି ସରକାର ବିରୋଧରେ କଂଗ୍ରେସ ସରକାରଙ୍କ ପାଖରେ ପ୍ରମାଣ ଥିବାବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହି ପ୍ରତିଶ୍ରୁତି ପୂରା କରିବା ବିନା ଆମେ ନିର୍ବାଚନକୁ ଯାଇପାରିବା ନାହିଁ । ଆମେ ଲୋକଙ୍କ ପାଖରେ ଉତ୍ତରଦାୟୀ । ସଚିନ୍ ପାଇଲଟ୍ ଆହୁରି ମଧ୍ୟ କହିଛନ୍ତି, ସେ ପାର୍ଟି ନେତୃତ୍ୱରେ କେତେକ ପରାମର୍ଶ ଦେଇଥିଲେ ଏବଂ ସେ ମଧ୍ୟରୁ ଗୋଟିଏ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଥିଲା । ଏଥିପାଇଁ ଲୋକେ ଆମ ଉପରେ ବିଶ୍ୱାସ ରଖିଛନ୍ତି । ରାଜସ୍ଥାନରେ ଆଗାମୀ ଲୋକାଲ୍ ବଡି ନିର୍ବାଚନ ଏବଂ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ଅଣ୍ଟା ଭିଡ଼ୁଥିବା ବେଳେ ସଚିନ୍ ପାଇଲଟ୍ ଭ୍ରଷ୍ଟାଚାର ବିରୋଧରେ ଏହି ଅନଶନ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ପଦକ୍ଷେପକୁ ଗେହଲଟ୍‌ଙ୍କ ଉପରେ ଚାପ ସୃଷ୍ଟି କରିବା ସହିତ ରାଜ୍ୟ ରାଜନୀତରେ ନିଜ ପ୍ରଭାବ ବୃଦ୍ଧି ଉଦ୍ୟମ ଭାବେ ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking