ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଗାଦିଚ୍ୟୁତ କରିବାକୁ ଲାହୋର ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି । ବଡଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଅଦାଲତଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ଶାହବାଜଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ନୱାଜ ୨୦୧୯ରେ ବ୍ରିଟେନରେ ସ୍ୱେଚ୍ଛାକୃତ ନିର୍ବାଚନ ଦଣ୍ଡ ଭୋଗୁଛନ୍ତି । ୨୦୧୯ରେ ନୱାଜଙ୍କ ବିଦେଶ ଯାତ୍ରା ପାଇଁ ଶାହବାଜ ସେତେବେଳେ ଲାହୋର ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅନୁମତି ଦିଆଯାଉ ଏବଂ ଚାରି ସପ୍ତାହ ମଧ୍ୟରେ ନୱାଜଙ୍କୁ ପାକିସ୍ତାନ ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି ଶାହବାଜ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ନୱାଜ ପାକିସ୍ତାନ ଫେରିନାହାନ୍ତି । ନୱାଜ ୨୦୧୯ରୁ ୟୁରୋପ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଗସ୍ତ କରୁଥିବା ସତ୍ତ୍ୱେ ପାକିସ୍ତାନ ଫେରୁନାହାନ୍ତି ବୋଲି ପିଟିସନରେ ଅଭିଯୋଗ ହୋଇଛି । ତେଣୁ ସମ୍ବିଧାନର ଧାରା ୬୨ ଓ ୬୩ ଅନୁଯାୟୀ ୭୧ ବର୍ଷୀୟ ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେବାକୁ ଆଜାର ଆବାସ ନାମକ ବ୍ୟକ୍ତି ପିଟିସନରେ ଉଲ୍ଲେଖ କରିଛନ୍ତି । ତେବେ ଲାହୋର ହାଇକୋର୍ଟ ମାମଲାର ଶୁଣାଣିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିବା ଜଣାପଡିଛି ।