34.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶଲୁଣ-ଚିନି ଆଳରେ ‘ବିଷ’ ଖାଉଛି ମଣିଷ!

ଲୁଣ-ଚିନି ଆଳରେ ‘ବିଷ’ ଖାଉଛି ମଣିଷ!

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସମୟରେ ମିଳୁଥିବା ଲୁଣ ଏବଂ ଚିନିରେ ମାତ୍ରାଧିକ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଥିବା ଜଣାପଡିଛି । ଏସମ୍ପର୍କୀତ ଏକ ଅନୁସନ୍ଧାନ ରିପୋର୍ଟ ପରିବେଶ ଅନୁସନ୍ଧାନ ସଂଗଠନ ଟକ୍ସିକ୍ସ ଲିଙ୍କ ଦ୍ୱାରା ଉପସ୍ଥାପିତ ହୋଇଛି । ଏହି ରିପୋର୍ଟରେ ୧୦ ପ୍ରକାରର ଲୁଣ ଏବଂ ୫ ପ୍ରକାର ଚିନି ପରୀକ୍ଷା କରାଯାଇଥିବା ବେଳେ ପ୍ରାୟ ସବୁଥିରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଠାବ ହୋଇଥିବା ଦାବି କରାଯାଇଛି । ଅର୍ଥାତ୍ ଦେଶରେ ଚିନି ଓ ଲୁଣକୁ ନେଇ ବ୍ୟବସାୟ କରୁଥିବା ପ୍ରାୟ ସମସ୍ତ ବ୍ରାଣ୍ଡ୍ ବା କମ୍ପାନୀର ଏହି ଦୁଇ ଉତ୍ପାଦ ମାଧ୍ୟମରେ ଦେଶର ନୀରିହ ଜନସାଧାରଣ ଅଜାଣତରେ ଦୈନିକ ହଳାହଳ ବିଷ ହିଁ ଭକ୍ଷଣ କରୁଛନ୍ତି ।
ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ପ୍ୟାକେଜିଂ ଲୁଣ ଏବଂ ଚିନି ଏବଂ ଖୋଲାରେ ବିକ୍ରି ହେଉଥିବା ଲୁଣ ଏବଂ ଚିନି ସବୁଥିରେ ମାଇକ୍ରୋପ୍ଲାଷ୍ଟିକ୍ ରହିଛି । ପଥର ଲୁଣ, ସମୁଦ୍ର ଲୁଣ, ଟେବୁଲ୍ ଲୁଣ ଏବଂ ଅଶୋଧିତ ଲୁଣର ନମୁନା ଉପରେ ଗବେଷଣା କରାଯାଇଥିବା ବେଳେ ସମସ୍ତ ନମୁନାରେ ଫାଇବର, ପେଲେଟ୍ ଏବଂ ଖଣ୍ଡ ଆକାରରେ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି ଦେଖିବାକୁ ମିଳିଥିଲା । ଅଧିକାଂଶ ନମୁନାରେ ମାଇକ୍ରୋପ୍ଲାଷ୍ଟିକ୍ସର ଆକାର ୦.୧ ରୁ ୫ ମିମି ପର୍ଯ୍ୟନ୍ତ ରେକର୍ଡ କରାଯାଇଥିଲା । ସବୁଠୁ ବିପଦଜନକ ପ୍ରସଙ୍ଗ ହେଉଛି ଯେଉଁ ଆୟୋଡାଇଜଡ୍ ଲୁଣକୁ ବୁଦ୍ଧି ଓ ଶାରିରୀକ ବିକାଶ ପାଇଁ ଅତ୍ୟନ୍ତ ଜରୁରି ଭାବେ ଆମେ ଦୈନନ୍ଦୀନ ଖାଦ୍ୟପ୍ରକ୍ରିୟାରେ ବ୍ୟବହାର କରୁଛେ, ସେହି ଆୟୋଡାଇଜ୍‌ଡ୍ ଲୁଣରେ ହିଁ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍ ମଧ୍ୟ ମିଳିଥିଲା । ଏଥିରେ ମାଇକ୍ରୋପ୍ଲାଷ୍ଟିକ୍ ପତଳା ତନ୍ତୁ ଆକାରରେ ରହିଥିବା ଦେଖିବାକୁ ମିଳିଛି । ଶୁଖିଲା ଲୁଣରେ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି କିଲୋଗ୍ରାମ ପ୍ରତି ୬.୭୧ ରୁ ୮୯.୧୫ ଖଣ୍ଡ ବୋଲି ଜଣାପଡିଛି । ଆୟୋଡିନ ଥିବା ଲୁଣରେ ଏହା ସର୍ବାଧିକ ଏବଂ ପଥର ଲୁଣରେ ଏହା ସର୍ବନିମ୍ନ ରହିଥିବାର ପ୍ରମାଣ ମିଳିଛି । ସେହିପରି ଚିନିରେ କିଲୋଗ୍ରାମ୍ ପ୍ରତି ୧୧.୮୫ ରୁ ୬୮.୨୫ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ୍ ମିଳିଥିଲା । ଅଣ-କାର୍ବନିକ୍ ଚିନିରେ ସର୍ବାଧିକ ମାଇକ୍ରୋପ୍ଲାଷ୍ଟିକ୍ ମିଳିଛି । ମାଇକ୍ରୋପ୍ଲାଷ୍ଟିକ୍ ଉଭୟ ପରିବେଶ ଏବଂ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ । ପ୍ଲାଷ୍ଟିକ୍‌ର ଛୋଟ କଣିକା ଜଳ, ବାୟୁ ଏବଂ ଖାଦ୍ୟ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରିପାରେ ।
ପ୍ରକାଶ, ମାଇକ୍ରୋପ୍ଲାଷ୍ଟିକ୍‌ର ଏହି ସୂକ୍ଷ୍ଣ କଣିକା ଫୁସଫୁସ ଏବଂ ହୃଦୟ ପାଇଁ ସାଂଘାତିକ । ଯାହା ନବଜାତ ଶିଶୁମାନଙ୍କୁ ମଧ୍ୟ ଅସୁସ୍ଥ କରିପାରେ । ଏହାପୂର୍ବରୁ ଏକ ଅନୁସନ୍ଧାନ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ କୁହାଯାଇଥିଲା ହାରାହାରି ଜଣେ ଭାରତୀୟ ପ୍ରତିଦିନ ୧୦ ଚାମଚ ଚିନି ଏବଂ ପ୍ରାୟ ୧୦.୯୮ ଗ୍ରାମ ଲୁଣ ବ୍ୟବହାର କରିଥାନ୍ତି । ଏପରିସ୍ଥଳେ ଏସବୁରେ ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ଉଲ୍ଲେଖ କରାଯାଇଥିଲା । ଟକ୍ସିକ୍ସ ଲିଙ୍କର ଆସୋସିଏଟ୍ ଡାଇରେକ୍ଟର ସତୀଶ ସିହ୍ନାଙ୍କ ଅନୁଯାୟୀ ଲୁଣ ଏବଂ ଚିନିରେ ଏତେ ପରିମାଣର ପ୍ଲାଷ୍ଟିକ ରହିବା ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ହୋଇପାରେ । ମେଡିକାଲ ସାଇନ୍ସ ଅନୁସାରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ ଏବଂ ଏହା ବିଭିନ୍ନ ରୋଗର ଆବାହକ ଭାବେ ବିବେଚନା କରାଯାଏ । ତେବେ ଚିନି ଓ ଲୁଣର ବ୍ୟବହାରଜନିତ ଦୁଷ୍ପ୍ରଭାବକୁ ରୋକିବା ଦିଗରେ ଏବଂ ଏହାର ସୁଦୂରପ୍ରସାରୀ ପରିଣାମ ସହିତ ମୁକାବିଲା କରିବାକୁ ଅଧିକ ଅଧ୍ୟୟନ ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking