ଚେନ୍ନାଇ: ମନ୍ଥର ଓଭର୍ ରେଟ୍ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍ସନ୍ ଓ ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଙ୍ଘନ ଅଭିଯୋଗରେ ଦଳର ତାରକା ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କୁ ଜୋରିମାନା ହୋଇଛି । ବୁଧବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଘରୋଇ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ରାଜସ୍ଥାନ ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଇନିଂସ ଶେଷ କରିପାରି ନ ଥିଲା । ଏହା ଚଳିତ ଆଇପିଏଲ୍ରେ ରାଜସ୍ଥାନର ପ୍ରଥମ ତ୍ରୁଟି ହୋଇଥିବାରୁ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା ହୋଇଥବା ଆଇପିଏଲ୍ ପକ୍ଷରୁ ଜାରି ଏକ ମିଡିଆ ଆଡଭାଇଜରୀରେ କୁହାଯାଇଛି ।
ସେହିପରି ଅଶ୍ୱିନ୍ ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ହରାଇବାକୁ ପଡ଼ିଛି । ଅଶ୍ୱିନ୍ଙ୍କ ବିରୋଧରେ ଆଇପିଏଲ୍ ଆଚରଣ ସଂହିତାର ଧାରା ୨.୭ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ଉପରେ ଜୋରିମାନା ହୋଇଥିଲା । ଅଶ୍ୱିନ୍ ତାଙ୍କ ଦୋଷ ସ୍ୱୀକାର କରିବାରୁ ମ୍ୟାଚ୍ ରେଫରିଙ୍କୁ କୌଣସି ପ୍ରକାର ଶୁଣାଣି କରିବାକୁ ପଡ଼ି ନ ଥିବା ଜାରି ବିବୃତିରେ କୁହାଯାଇଛି।