26.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପେଗାସସ୍ ମାମଲା, ସୋସିଆଲ୍ ମିଡିଆରେ ସମାନ୍ତରାଳ ଡିବେଟ୍ ବନ୍ଦକର : ସୁପ୍ରିମକୋର୍ଟ

ପେଗାସସ୍ ମାମଲା, ସୋସିଆଲ୍ ମିଡିଆରେ ସମାନ୍ତରାଳ ଡିବେଟ୍ ବନ୍ଦକର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ପେଗାସସ୍ ମାମଲାକୁ ନେଇ ଆବେଦନକାରୀ ସୋସିଆଲ୍ ମିଡିଆରେ ଚର୍ଚ୍ଚା କରୁଥିବାରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌ଭି ରମନା ଚିନ୍ତାବ୍ୟକ୍ତ କରିଛନ୍ତି । ମଙ୍ଗଳବାର ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଏହି ପ୍ରସଙ୍ଗ ଉପରେ କୋର୍ଟରେ ଚର୍ଚ୍ଚା ହେବା ଅଧିକ ପ୍ରାସଙ୍ଗିକ ହେବ । ଏ ସମ୍ପର୍କରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ଶୁକ୍ରବାର ପାଇଁ ସମୟ ମାଗିଥିବାରୁ ପରବର୍ତ୍ତୀ ଶୁଣାଣି ସୋମବାର ହେବ ବୋଲି କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, “ଆବେଦନକାରୀ ମିଡିଆରେ ବୟାନ ଦେଉଛନ୍ତି । ମାତ୍ର କୋର୍ଟରେ ସମସ୍ତ ଚର୍ଚ୍ଚା ହେଉ ବୋଲି ଆମେ ଚାହୁଁଛୁ । ଯଦି ଆବେଦନକାରୀ ମିଡିଆରେ ଡିବେଟ୍ କରିବାକୁ ଚାହୁଁଛନ୍ତି, ତେବେ ତାହା ତାଙ୍କ ଉପରେ ନିର୍ଭର କରୁଛି ।

ଯେହେତୁ ସେମାନେ କୋର୍ଟକୁ ଆସିଛନ୍ତି ଏଠାରେ ହିଁ ଏହା ଉପରେ ଡିବେଟ୍ କରିବା ଉଚିତ । ସେହିପରି ସେମାନେ ନ୍ୟାୟ ବ୍ୟବସ୍ଥା ଉପରେ ଭରସା ରଖିବା ମଧ୍ୟ ଆବଶ୍ୟକ । ଯାହା କହିବାର ଅଛି କୋର୍ଟରେ କୁହନ୍ତୁ, କିନ୍ତୁ ସୋସିଆଲ୍ ମିଡିଆରେ ସମାନ୍ତରାଳ ଡିବେଟ୍ କରନ୍ତୁ ନାହିଁ ।’ ପ୍ରଧାନ ବିଚାରପତି ସମସ୍ତ ଆବେଦନକାରୀ ଓ ଓକିଲଙ୍କୁ କୋର୍ଟ ଉପରେ ଭରସା ରଖିବା ପାଇଁ କହିଛନ୍ତି । ସେ ଆହୁରି କହିଛନ୍ତି କୌଣସି ପ୍ରସଙ୍ଗ ଉପରେ କୋର୍ଟ ପ୍ରଶ୍ନ କଲେ, ସେମାନେ ତା’ର ଅନ୍ୟ ଅର୍ଥ ବାହାର ନକରନ୍ତୁ । ଏହା ଏକ ଗମ୍ଭୀର ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ଗମ୍ଭୀରତାର ସହ ବିଚାର କରିବାକୁ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶି କୁମାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା କପିଲ ସିବଲ୍ ପ୍ରଧାନ ବିଚାରପତିଙ୍କ କଥାରେ ସହମତି ପ୍ରକାଶ କରିଥିଲେ । ପେଗାସସ୍ ମାମଲାର ସ୍ୱତନ୍ତ୍ର ତଦନ୍ତ ପାଇଁ ୯ଟି ଆବେଦନ କରାଯାଇଥିବା ବେଳେ ଶୀର୍ଷ ଅଦାଲତରେ ଏହାର ଶୁଣାଣି କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking