18.1 C
Bhubaneswar
Saturday, November 23, 2024
Homeଓଡିଶାହ୍ରାସ ପାଇଛି ଚିନାବାଦାମ ଚାଷର ପରିମାଣ

ହ୍ରାସ ପାଇଛି ଚିନାବାଦାମ ଚାଷର ପରିମାଣ

ଜଗତସିଂହପୁର: ଜିଲ୍ଲାର ଚାଷୀମାନଙ୍କ ଲାଗି ଚିନାବାଦାମ ଏକ ପ୍ରମୁଖ ଅର୍ଥକାରୀ ଫସଲ ହୋଇଥିବାବେଳେ କିଛିବର୍ଷ ହେବ ଏହି ଫସଲ ଚାଷ ଜମିର ପରିମାଣ ହିସାବରେ ହ୍ରାସ ପାଇବାରେ ଲାଗିଛି । ଉପଯୁକ୍ତ ବିହନ ଅଭାବ, ସରକାରୀ ପ୍ରୋତ୍ସାହନର ଅଭାବ ସହ ଅମଳ ଫସଲର ଅଭାବି ବିକ୍ରି ସତ୍ତ୍ୱେ ଚାଷୀମାନେ ବିହନ ପାଇବାକୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ୧୯୮୦ରୁ ୯୦ ଦଶକରେ ଜିଲ୍ଲାର ୧୦ ହଜାର ହେକ୍ଟର ପରିମିତ ଜମିରେ ଚିନାବାଦାମ ଚାଷ ହେଉଥିବାବେଳେ ବର୍ତ୍ତମାନ ଏହି ଚାଷ କମି ମାତ୍ର ୪ ହଜାର ହେକ୍ଟରରେ ପହଞ୍ଚିଥିବା ସିଡିଓ ରାଜକିଶୋର ଦାସଙ୍କଠାରୁ ସୂଚନା ମିଳିଛି ।

ସରକାରୀସ୍ତରରେ ଏହି ଚାଷ ପ୍ରତି ଉପଯୁକ୍ତ ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଜିଲ୍ଲାରେ ବିହନ ନମିଳିଲେ ଚିନାବାଦାମ ଚାଷ ସମ୍ପୂର୍ଣ୍ଣ ଲୋପ ପାଇବାର ଆଶଙ୍କା ରହିଛି । କ୍ରମାଗତଭାବେ କିଛିବର୍ଷ ହେବ ଚିନାବାଦାମ ପାଇଁ  ସରକାରୀ ବିହନ ମିଳୁନଥିବାରୁ ଖୋଲା ବଜାରରୁ ନିମ୍ନମାନର ବିହନ କିଣିବାକୁ ଚାଷୀ ବାଧ୍ୟ ହେଉଛି । ନିମ୍ନମାନର ବିହନ ପାଇଁ  ଅମଳ ମଧ୍ୟ ପ୍ରଭାବିତ ହେଉଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ତେବେ ଚଳିତ ବର୍ଷ ରାଜ୍ୟ ବିହନ ନିଗମ ଚିନାବାଦମ ବିହନ ଯୋଗାଇବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଆନ୍ଧ୍ରରୁ ବିହନ ଆସିବା । କଥା କିନ୍ତୁ ଆନ୍ଧ୍ରରେ ବର୍ଷା ଯୋଗୁଁ ଚିନାବାଦାମ ବିହନ ଆସିପାରୁନଥିବା ସହକାରୀ ସିଡସ୍ ପ୍ରଡକ୍ସନ୍ ଅଫିସରଙ୍କଠାରୁ ସୂଚନା ମିଳିଛିି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଋତୁରେ ଜିଲ୍ଲର ୪ ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେଥିମଧ୍ୟରୁ ନାଉଗାଁ ଓ କୁଜଙ୍ଗ ବ୍ଲକରେ ସର୍ବାଧିକ ଚିନାବାଦମ ଚାଷ ହେଉଥିବାବେଳେ ତିର୍ତ୍ତୋଲ, ବିରିଡି, ଜଗତସିଂହପୁର ବ୍ଲକର ନଦୀ ଉପକୂଳ ଓ ବାଲିଆ ମାଟିଥିବା ଅଞ୍ଚଳରେ ଚିନାବାଦାମ ଚାଷ କରାଯାଉଛିି । ତେବେ  ଚଳିତ ବର୍ଷ  ଜିଲ୍ଲାର ୩ ହଜାର ୮ଶହ  ହେକ୍ଟର ଜମିରେ ଏହି ତୈଳବୀଜ ଫସଲ ଚାଷ କରାଯିବା ପାଇଁ ଜମି ପ୍ରସ୍ତୁତି ସରିଥିବା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏତିକି ଜମିରେ ଚିନାବାଦାମ ଚାଷ ପାଇଁ ୬ ହଜାର କ୍ୱିଣ୍ଟାଲ ଚୋପାଛଡା ଅଧିକ ଅମଳକ୍ଷମ ବିହନର ଆବଶ୍ୟକତା ରହିଥିବାବେଳେ ରାଜ୍ୟ ବିହନ ନିଗମ ଏପର୍ଯ୍ୟନ୍ତ ଚାଷୀକୁ ୬ ଶହ କ୍ୱିଣ୍ଟାଲ ବିହନ ମଧ୍ୟ ଯୋଗାଇବାକୁ ସମର୍ଥ ହୋଇନଥିବା ସୂଚନା ମିଳିଛି । ଚଳିତ ମାସ ଶେଷ ସୁଦ୍ଧା ବିହନ ବୁଣା ନସାରିଲେ ନିପାଣିଆ ଚିନାବାଦାମ ଚାଷରୁ ଅମଳ ଯଥେଷ୍ଟ କମିବାର ସମ୍ଭାବନା ରହିଛି ।

ଅନ୍ୟ ଉପାୟ ନପାଇ ଚାଷୀ ଖୋଲା ବଜାରର ଲାଭଖୋର ବେପାରୀଙ୍କଠାରୁ ନିମ୍ନମାନର ବିହନ କିଣିବାକୁ ବାଧ୍ୟ ହେଉଥିବା ଚାଷୀ ଓ କୃଷି ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି । ଏ ସମ୍ପର୍କରେ ସିଡିଓ କହନ୍ତି, କୃଷି ବିଭାଗ ପକ୍ଷରୁ ଖୋଲାଯାଇଥିବା ସେଲ୍ ସେଣ୍ଟର ବନ୍ଦ ହୋଇଯିବା ପରେ ଚାଷୀମାନଙ୍କୁ ସେଲ ସେଣ୍ଟର ମାଧ୍ୟମରେ ଚିନାବାଦାମ ଯୋଗାଣ କିଛିବର୍ଷ ହେବ ବନ୍ଦ ହୋଇଯାଇଛି । ତେବେ ଜିଲ୍ଲାରେ ପ୍ରାଇଭେଟ ସିଡ୍ ଡିଲର ସମେତ ୧୦୫ଟି ପ୍ୟାକ୍ସ ରହିଛି । ଏହି ପ୍ୟାକ୍ସମାନେ ଚିନାବାଦମ ବିହନ ଉଠାଇ ଚାଷୀଙ୍କୁ ଦେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଜିଲ୍ଲା କୃଷି ବିିଭାଗ ପକ୍ଷରୁ କେତେକ ପ୍ୟାକ୍ସ ଓ ଘରୋଇ ବିହନ ଡିଲରଙ୍କ ସହିତ କଥାବାର୍ତ୍ତା ଜାରି ରହିଛି। ଏହି ସମସ୍ୟାର ସମାଧାନ କରାଯିବାକୁ ପଦେକ୍ଷପ ଗ୍ରହଣ କାରଯାଉଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking