ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣକାରୀ ପବନ ଠାକୁରଙ୍କୁ ଦୁବାଇରେ ଗିରଫ କରାଯାଇଛି। ସୂତ୍ର ଅନୁସାରେ ତାଙ୍କୁ ଖୁବ୍ ଶୀଘ୍ର ଭାରତ ଅଣାଯିବ। ଦିଲ୍ଲୀରେ ସାମ୍ପ୍ରତିକ ବଡ଼ ଡ୍ରଗ୍ସ ଧରାପଡ଼ିବାର ମାଷ୍ଟରମାଇଣ୍ଡ ହେଉଛନ୍ତି ଠାକୁର। ଦୁଇ ଦିନ ପୂର୍ବରୁ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦିଲ୍ଲୀରେ ₹୨୬୨ କୋଟି ମୂଲ୍ୟର ମେଥ ଜବତ କରିଥିଲା, ଯେଉଁଥିରେ ଠାକୁର ମୁଖ୍ୟ ଅଭିଯୁକ୍ତ। ଏନସିବିର ଏହି ପ୍ରମୁଖ ଅପରେସନ ଏକ ଆନ୍ତର୍ଜାତୀୟ ସିନ୍ଥେଟିକ୍ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ କରିଛି। ପବନ ଠାକୁର ଗତ ନଭେମ୍ବରରେ ଦିଲ୍ଲୀରେ ଜବତ ହୋଇଥିବା ₹୨,୫୦୦ କୋଟି ଟଙ୍କାର କୋକେନ୍ ପଛରେ ମଧ୍ୟ ମାଷ୍ଟରମାଇଣ୍ଡ। ଏନସିବି ଏହି ଡ୍ରଗ୍ସଗୁଡ଼ିକୁ ଉଦ୍ଧାର କରିଥିଲା, ଯାହା ପରେ ପବନ ଠାକୁରଙ୍କ ବିରୁଦ୍ଧରେ ଇଣ୍ଟରପୋଲ୍ ମାଧ୍ୟମରେ ପ୍ରଥମ ସିଲଭର ନୋଟିସ ଜାରି କରାଯାଇଥିଲା। ଇଡି ମଧ୍ୟ ଠାକୁରଙ୍କ ଘରେ ଚଢାଉ କରିଥିଲା ଏବଂ ତାଙ୍କର ୧୧୮ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିଲା। ଏନସିବି ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଛତରପୁରର ଏକ ଘରୁ ୩୨୮ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଜବତ କରିଥିଲା, ଏହି ନିଷିଦ୍ଧ ପଦାର୍ଥର ଚୋରା ଚାଲାଣରେ ସମ୍ପୃକ୍ତ ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗକୁ ପର୍ଦାଫାସ କରିଥିଲା।










