କେନ୍ଦ୍ରାପଡ଼ା : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶତାଧିକ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ଗରଦପୁର ବ୍ଲକ୍ ଅଫିସ୍ ଆଗରେ ପ୍ରତିବାଦ ସଭା କରିଛନ୍ତି। ଆବାସ ଯୋଜନାରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଚୟନ, ରାସନକାର୍ଡରେ ନୂତନ ନାମ ସଂଯୋଗ ଦାବି କରିବା ସହିତ ବ୍ଲକ୍ରେ ଚାଲିଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଏହି ଆନ୍ଦୋଳନ କରିଛନ୍ତି। କିନ୍ତୁ ସ୍ବାଭିମାନ ମଂଚ ଲେଖା ଥିବା ପ୍ରଚାର ଗାଡ଼ିରେ ଆସି ସ୍ବାଧୀନ ବ୍ୟାନର୍ରେ ଅରବିନ୍ଦଙ୍କ ଏପ୍ରକାର ଆନ୍ଦୋଳନ ପାଟକୁରା ରାଜନୀତିକୁ ସରଗରମ କରିଛି।
ଗଲା ଜାନୁଆରି ୮ତାରିଖରେ ପାଟକୁରା ନିର୍ବାଚନ ମଣ୍ଡଳୀର ତିକନପୁରରେ ବିଜୟ ଯେଉଁ ବଂଧୁମିଳନ ସମାବେଶ ଆୟୋଜନ କରିଥିଲେ, ସେଥିରେ ଅରବିନ୍ଦ ସାମିଲ୍ ହୋଇ ରାଜନୀତି କରିବେ ବୋଲି ଖୋଲାଖୋଲି ଗଣମାଧ୍ୟମକୁ ମନ୍ତବ୍ୟ ଦେଇଥିଲେ। କିନ୍ତୁ ଦଳ ସଂପର୍କରେ ମୁହଁ ନ ଖୋଲି ତିନି ମାସ ଭିତରେ ସବୁ ସ୍ପଷ୍ଟ ହେଇଯିବ ବୋଲି କହିଥିଲେ। ବିଜୟ କିନ୍ତୁ ୨୦୨୪ ନିର୍ବାଚନରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ସଂକେତ ଦେଇଥିଲେ। ବିଜୟଙ୍କ ଏପ୍ରକାର ସଂକେତ ଆଉ ଆଜି ତାଙ୍କ ପୁଅ ପ୍ରଥମଥର ପାଇଁ ରାଜନୈତିକ କାର୍ଯ୍ୟକ୍ରମ ସ୍ବରୂପ ସ୍ବାଧୀନ ବ୍ୟାନର୍ରେ ଗରଦପୁର ବ୍ଲକ୍ ଆଗରେ ପ୍ରତିବାଦ ସଭା କରିବା କେନ୍ଦ୍ରାପଡ଼ା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି।