ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି ଏଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ନିଟ ର ଫଳାଫଳ ବୁଧବାର ପ୍ରକାଶ ପାଇଛି । ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ଅନେକ ଛାତ୍ରଛାତ୍ରୀ ଏହି ଫଳାଫଳକୁ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁଜୁରାଟର ଜଣେ ୫୨ ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି । ଯିଏକି ଏକ ଭିନ୍ନ ଯୋଜନା ପାଇଁ ପ୍ରସ୍ତୁତ ହୋଉଛନ୍ତି । ଖବର ଅନୁସାରେ ସେ କେବଳ ଛାତ୍ରମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ନିଜ ଉପରେ ଭରସା ଦେବା ପାଇଁ ନିଟ ପରୀକ୍ଷା ପାସ୍ କରିଛନ୍ତି ।
ଏହି ବ୍ୟକ୍ତି ଜଣକ ହେଲେ ପ୍ରଦିପ କୁମାର ସିଂ । ସେ ଅହମ୍ମଦାବାଦର ବୋଡକଦେବ ଅଞ୍ଚଳରେ ରୁହନ୍ତି । ବୃତ୍ତି ଅନୁଯାୟୀ ସେ ଜଣେ ବ୍ୟବସାୟୀ ଅଟନ୍ତି । ବୁଧବାର ପ୍ରକାଶିତ ହୋଇଥିବା ଫଳାଫଳ ଅନୁଯାୟୀ, ସେ ୭୦୨ ମଧ୍ୟରୁ ୬୦୭ ମାର୍କ ପାଇଛନ୍ତି । ତେବେ ମେଡିକାଲ କଲେଜରେ ଆଡମିଶନ କରି ଡାକ୍ତର ହେବା ତାଙ୍କର ସ୍ୱପ୍ନ ନୁହେଁ । ସେ ବାହାରେ ରହି ଗରିବ ପିଲାଙ୍କୁ ମାଗଣା କୋଚିଂ ଦେଇ ଡାକ୍ତର କରିବାକୁ ଚାହୁଁଛନ୍ତି । ଏନେଇ ସିଂ କହିଛନ୍ତି ଯେ, ‘୫୨ ବର୍ଷ ବୟସରେ ମୁଁ ୯୮.୯୮ପ୍ରତିଶତ ହାସଲ କରିଛି । ମେଡିକାଲ୍ କଲେଜ ଯିବା ମୋର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ମୁଁ ଗରିବ ପିଲାମାନଙ୍କ ପାଇଁ ଏକ ମାଗଣା ନିଟ କୋଚିଂ ସେଣ୍ଟର ଆରମ୍ଭ କରିବାକୁ ଚାହୁଁଛି ।
ସିଂଙ୍କ ପୁଅ ବିଜିନ ସ୍ନେହାଂଶ ମଧ୍ୟ ତୃତୀୟ ବର୍ଷର ଏମବିବିଏସ (MBBS) ଛାତ୍ର । ଆଉ ଏହି ମିଶନରେ ସେ ତାଙ୍କ ପିତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ସିଂ ମଧ୍ୟ ପଢିବାକୁ ସର୍ବଦା ଆଗ୍ରହୀ ଥିଲେ । ସେ ୧୯୮୭ ରେ, ଦ୍ୱାଦଶ ଶ୍ରେଣୀରେ ୭୧ ପ୍ରତିଶତ ମାର୍କ ହାସଲ କରିଥିଲେ । ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରୁ ମାଷ୍ଟର୍ସ ଇନ୍ ବିଜନେସ୍ ଇକୋନୋମିକ୍ସ କରିଥିଲେ ।