ନୂଆଦିଲ୍ଲୀ : ଦିଲ୍ଲୀର ଭଜନପୁରା ଅଞ୍ଚଳରେ ରବିବାର ସକାଳେ ସିଆର୍ପିଏଫ୍ ଏବଂ ଦିଲ୍ଲୀ ପୁଲିସ ଉପସ୍ଥିତିରେ ଗୋଟିଏ ହନୁମାନ ମନ୍ଦିର ଓ ମଜାର୍ ଭଙ୍ଗାଯାଇଛି । ସଡ଼କ ଚଉଡ଼ା କରିବା ନିମନ୍ତେ ରାଜଧାନୀ ପିଡବ୍ଲ୍ୟୁଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ମନ୍ଦିର ହଟାଇବା ପୂର୍ବରି ଡିସିପି ସୁବୋଧ ଗୋସ୍ୱାମୀ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟାନୁଷ୍ଠାନକୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଥିଲା ।
ଏହାକୁ ଦୃଷ୍ଟିରେ ରଖି ଫୋର୍ସ ମୁତୟନ କରାଯିବା ସହିତ ଅପ୍ରୀତିକର ପରିସ୍ଥିତିରୁ ବର୍ତ୍ତିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ବେଳେ ଡ୍ରୋନ୍ ମାଧ୍ୟମରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଥିଲା । ନର୍ଥ-ଇଷ୍ଟ୍ ଦିଲ୍ଲୀ ଡିସିପି ଜୟ ଏନ୍ ତିର୍କୀ କହିଛନ୍ତି, ସହାରନପୁର ହାଇୱେ ସଡ଼କ ଚଉଡ଼ା କରିବାେ ନିମନ୍ତେ ଭଜନପୁରା ଅଞ୍ଚଳରେ ଥିବା ଏକ ହନୁମାନ ମନ୍ଦିର ଏବଂ ମଜାର୍ ହଟାଇବାକୁ ଦିଲ୍ଲୀର ଧାର୍ମିକ ବ୍ୟାପାର କମିଟି ନିଷ୍ପତ୍ତି ନେଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁଇ ଧାର୍ମିକସ୍ଥଳକୁ ଶାନ୍ତିପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ପାରସ୍ପରିକ ସହମତିରେ ଦୁଇ ଷ୍ଟ୍ରକ୍ଚର୍ ଭଙ୍ଗାଯାଇଥିବା ସେ କହିଛନ୍ତି । ହନୁମାନ ମନ୍ଦିରର ପୂଜାରୀ ସ୍ୱୟଂ ମୂର୍ତ୍ତିଗୁଡ଼ିକୁ ଗାଡ଼ିରେ ରଖିଥିଲେ ।
ଅନ୍ୟପକ୍ଷରେ ଦିଲ୍ଲୀ ସରକାରର ପିଡବ୍ଲ୍ୟୁଡି ମନ୍ତ୍ରୀ ଆତିଶୀ ଏହି କାର୍ଯ୍ୟାନୁଷ୍ଠାନର ବିରୋଧ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ଧାର୍ମିକସ୍ଥଳକୁ ଭାଙ୍ଗିବା ଭୁଲ୍ । ଏହା ସହିତ ଲୋକଙ୍କ ଆସ୍ଥା ଜଡ଼ିତ ରହିଛି । ଟ୍ୱିଟ୍ରେ ମନ୍ଦିର ଏବଂ ଅନ୍ୟ ଧାର୍ମିକସ୍ଥଳକୁ ନଭାଙ୍ଗିବା ପାଇଁ ସେ ଉପରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।