ଜାକର୍ତ୍ତା: ଭାରତର ବିଜୟବୀର ସିଦ୍ଧୁ ଶନିବାର ଜାକର୍ତ୍ତାରେ ଚାଲିଥିବା ଏସୀୟ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ପୁରୁଷ ୨୫ ମିଟର ର୍ୟାପିଡ୍ ଫାୟାର୍ ଇଭେଣ୍ଟ୍ରେ ରୌପ୍ୟ ପଦକ ଜିତି ଭାରତ ପାଇଁ ୧୭ତମ ପ୍ୟାରିସ୍ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି । ଗତବର୍ଷ ହାଙ୍ଗଝୁ ଏସୀୟ କ୍ରୀଡ଼ାରେ ଦଳଗତ ବ୍ରୋଞ୍ଜ୍ ପଦକ ଜିତିଥିବା ୨୧ ବର୍ଷୀୟ ଶୁଟର୍ ୨୫ ମିଟର ର୍ୟାପିଡ୍ ଫାୟାରରେ ନିଜ ଦେଶର ଅନୀଶ ଭାନୱାଲାଙ୍କ ସହ ପ୍ୟାରିସ୍ ଟିକେଟ୍ ହାସଲ କରିଛନ୍ତି ।
ଅନୀଶ ପୂର୍ବରୁ ଗତବର୍ଷ କୋରିଆର ଚାଙ୍ଗ୍ୱାନ୍ଠାରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ୍ଶିପ୍ରେ ବ୍ରୋଞ୍ଜ୍ ପଦକ ସହ ଅଲିମ୍ପିକ୍ କୋଟା ହାସଲ କରିଥିଲେ । ବିଜୟବୀରଙ୍କୁ ଅବଶ୍ୟ ପଦକ ଉପରେ ନିର୍ଭର କରିବାକୁ ପଡ଼ିନଥିଲା; ସେ ୫୭୭ ସ୍କୋର୍ ସହ ଚତୁର୍ଥ ସ୍ଥାନରେ ରହି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରି କୋଟା ଅର୍ଜନ କରିଥିଲେ । ୬ ଜଣ ଫାଇନାଲିଷ୍ଟ୍ଙ୍କ ମଧ୍ୟରୁ ବିଜୟବୀର ଏଲିମିନେଟିଂ ରାଉଣ୍ଡ୍ରେ ୨୮ ଶଟ୍ ସହ ରୌପ୍ୟ ପଦକ ହାସଲ କରିଥିଲେ । କାଜାଖସ୍ତାନର ନିକିତା ଚିର୍ୟୁକିନ ୩୨ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ର୍ୟାପିଡ୍ ଫାୟାର ପିସ୍ତଲ ପାରମ୍ପରିକ ଭାବେ ଭାରତ ପାଇଁ ଏକ ଶକ୍ତିଶାଳୀ ଇଭେଣ୍ଟ୍ ଭାବେ ପରିଗଣିତ ହୋଇଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବିଜୟ କୁମାର ରୌପ୍ୟ ପଦକ ଜିତିଥିଲେ । ଯଦି ଉଭୟ ବିଜୟବୀର ଓ ଅନୀଶ ପ୍ୟାରିସ୍ ଅଲିମ୍ପିକ୍ସକୁ ପ୍ରବେଶ କରନ୍ତି, ତେବେ ରାପିଡ୍ ଫାୟାର୍ ଶୁଟିଂ ବର୍ଗରେ ପ୍ରଥମ ଥର ପାଇଁ ଦୁଇଜଣ ଭାରତୀୟ ଶୁଟର୍ ପ୍ରତିନିଧିତ୍ୱ କରିବାର ଉଦାହରଣ ସୃଷ୍ଟି ହେବ ।
ଜାକର୍ତ୍ତା ଟୁର୍ଣ୍ଣାମେଣ୍ଟ୍ରୁ ଭାରତୀୟ ଶୁଟର୍ମାନେ ୪ଟି ପ୍ୟାରିସ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି । ଏହା ମଧ୍ୟରେ ଇଈା ସିଂହ (ମହିଳା ୧୦ ମିଟର ଏୟାର ପିସ୍ତଲ), ବରୁଣ ତୋମାର (ପୁରୁଷ ୧୦ ମିଟର ଏୟାର ପିସ୍ତଲ), ରିଦମ ସାଙ୍ଗୱାନ (ମହିଳା ୨୫ ମିଟର ସ୍ପୋର୍ଟସ ପିସ୍ତଲ) ଏବଂ ବିଜୟବୀର ସିଦ୍ଧୁ ସାମିଲ ।