ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଜଣଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଏସ୍ଆଇଟି ଗିରଫ କରିଛି । ଆସନ୍ତା କାଲି ଅଭିଯୁକ୍ତକୁ ନୟାଗଡ଼ ପଷ୍କୋ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ବିରୋଧରେ ୩୭୬(ଏ), ୩୭୬(ଏ,ବି), ୩୬୪, ୩୦୨ ଓ ୨୦୧ ଧାରାରେ ମାମଲା ରୁଜୁ ହୋଇଛି । ହେଲେ ଅଭିଯୁକ୍ତର ନା’ ଏସ୍ଆଇଟି ପକ୍ଷରୁ ପ୍ରକାଶ କରାଯାଉ ନାହିଁ । କୋର୍ଟରେ ଦାଖର ପରେ ନା’ ପଦାକୁ ଆସିବ । ଏସ୍ଆଇଟି ପକ୍ଷରୁ କେବଳ ସୂଚନା ଦିଆଯାଇଛି ଯେ, ଗିରଫ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଜଦୁପୁର ଗାଁ’ର ।
କିନ୍ତୁ ପରୀ ହତ୍ୟା ଘଟଣାରରେ ସରୋଜ ସେଠୀ ନାମକ ଜଣେ ଯୁବକକୁ ଏସ୍ଆଇଟି ଗତକାଲି ନେଇଥିଲା । ସରୋଜଙ୍କ ସହ ତାଙ୍କ ମା’ ଓ ବଡ଼ ଭଉଣୀଙ୍କ ମଧ୍ୟ ଜେରା କରିଥିଲା । ଏମାନଙ୍କର ପଲିଗ୍ରାପ୍ ଟେଷ୍ଟ ମଧ୍ୟ କରାଯାଇଥିବା କୁହାଯାଉଛି । ଏସ୍ଆଇଟି ସରୋଜକୁ ରଖି ମା’ ଓ ଭଉଣୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଛାଡ଼ି ଦେଇଥିଲା । ପୂର୍ବରୁ ଦୁଇଥର ସରୋଜକୁ ଉଠାଇ ନେଇ ତଦନ୍ତକାରୀ ସଂସ୍ଥା ଜେରା କରିଥିଲା । ଜେରା ପରେ ସରୋଜ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବୁରୋଧରେ ଗୁରୁତର ଅଭିଯୋଗ ଆଣିଥିଲା । ପରୀ ହତ୍ୟା ଦୋଷ ନିଜ ମୁଣ୍ଡକୁ ନେବା ପାଇଁ ତାଙ୍କୁ ୫ଲକ୍ଷ ଟଙ୍କା ଶ୍ରୀ ବୋଥ୍ରା ଜାଚିଥିଲା ଏବଂ ନିର୍ଭୟା ମାମଲାର ଭିଡିଓ ଦେଖାଇ ତାଙ୍କୁ ନାବାଳକ ସଜାଇ କମ୍ ଦଣ୍ଡର ଆଶ୍ୱାସନା ମଧ୍ୟ ଦିଆଯାଇଥିଲା ବୋଲି ସରୋଜ ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ଅବଶ୍ୟ ଏହି ଅଭିଯୋଗକୁ ପୁଲିସ ପକ୍ଷରୁ ଖଣ୍ଡନ କରାଯାଇଥିଲା । ଏହାର କୌଣସି ସତ୍ୟତା ନାହିଁ ବୋଲି କୁହାଯାଇଥିଲା ।
ପରୀର ମୃତଦେହ ତା’ର ଘର ପଛପଟୁ ଗତ ଜୁଲାଇ ୨୩ତାରିଖରେ ମିଳିଥିଲା । ଏହା ପରଠାରୁ ନୟାଗଡ଼ ପୁଲିସ କୌଣସି ପଦକ୍ଷେପ ନନେବାରୁ ପରୀର ବାପା, ମା’ ବିଧାନସଭା ଆଗରେ ଆତ୍ମହୁତି ଦେବାକୁ ଉଦ୍ୟମ କରିବା ପରେ ଘଟଣାର ଭିନ୍ନମୋଡ଼ ନେଲା । ବିରୋଧୀ ଏହି ଘଟଣାରରେ ସରକାରଙ୍କୁ ଘେରିବାରୁ ବାଧ୍ୟ ହୋଇ ଏସ୍ଆଇଟି ଗଠନ କରାଗଲା । ଏସ୍ଆଇଟି ପକ୍ଷରୁ ଚଳିତମାସ ୧ରୁ ତଦନ୍ତ ଆରମ୍ଭ କରାଯାଇଥିଲା । ହାଇକୋର୍ଟରେ ପ୍ରାରମ୍ଭିକ ରିପୋର୍ଟ ଏସ୍ଆଇଟି ଦାଖଲ କରିଛି । ପ୍ରଥମେ ଏହି ଘଟଣା ପଛରେ ଅଙ୍ଗ ତସ୍କରୀଙ୍କ ସପୃକ୍ତି ରହିଛି ବୋଲି କୁହାଯାଉଥିଲା । କିନ୍ତୁ ଏସ୍ଆଇଟି ତଦନ୍ତରେ ଏହା ଦୁଷ୍କର୍ମ ପରେ ହତ୍ୟା ବୋଲି ଜଣାପଡ଼ିଲା । ପରୀର ମାମଲାରେ ସରୋଜର ହାତ ଥିବା ନେଇ ସନ୍ଦେହ ଆସିବାରୁ ତାକୁ ଜେରା କରାଯାଇଥିଲା ।