ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀମାନଙ୍କୁ ‘ସମ୍ମୁଖ ଯୁଦ୍ଧା’ ଭାବେ ଘୋଷଣା କରାଯାଇଛି । କୋଭିଡ୍ ସୁରକ୍ଷା କାରଣରୁ ସେମାନଙ୍କୁ ଯୁଦ୍ଧକାଳୀତ ଭିତ୍ତିରେ ‘ବୁଷ୍ଟର ଟିକା’ ଦେବାର ବ୍ୟବସ୍ଥା ହୋଇଛି । ସୋମବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, ପୂର୍ବରୁ ମାର୍ଗଦର୍ଶିକା ଜାରି ହୋଇଛି । ତଦନୁଯାୟୀ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ପାଞ୍ଚଟି ପର୍ଯ୍ୟାୟରେ ତ୍ରି ସ୍ତରୀୟ ପଞ୍ଚାୟତ ମତଦାନ ଅନୁଷ୍ଠିତ ହେବ । ମନୋନୟନ ପତ୍ର ଦାଖଲ ଠାରୁ ଭୋଟ୍ ଗଣିତି ପର୍ଯ୍ୟନ୍ତ ସମସ୍ତ ପ୍ରାର୍ଥୀ, ସମର୍ଥକ ଏବଂ ଅନ୍ୟାନ୍ୟ ବ୍ୟକ୍ତି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ହୋଇଛି ।
ପ୍ରଚାର ପାଇଁ ପଥପ୍ରାନ୍ତ ପ୍ରଦର୍ଶନ, ପଦଯାତ୍ରା, ସାଇକେଲ, ମୋଟର ସାଇକେଲ ପଟୁଆର ପାଇଁ ଅନୁମତି ଦିଆ ଯାଇନାହିଁ । କୋଭଡ୍ ସୁରକ୍ଷା ଦୃଷ୍ଟିରୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ଡିଜିଟାଲ, ମିଡିଆ, ମୋବାଇଲ ମାଧ୍ୟମରେ ପ୍ରଚାର କରିବା ପାଇଁ କମିଶନଙ୍କ ନିର୍ଦ୍ଦେଶ ଦିଆଯାଇଛି । ପ୍ରାର୍ଥୀଙ୍କୁ ମିଶାଇ ସର୍ବାଧିକ ୫ ଜଣ ବ୍ୟକ୍ତି ଘରକୁ ଘର ବୁଲି ପ୍ରଚାର କରିପାରିବେ । ଶ୍ରୀ ପାଢ଼ୀ କହିଛନ୍ତି ଯେ, ଏଥର ବୁଥ୍ ଗଣତି ବଦଳରେ ବ୍ଲକ୍ସ୍ତରରେ ଗଣତି କରାଯିବ । ପ୍ରତି ପର୍ଯ୍ୟାୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଭୋଟ୍ଦାନ ସମୟ ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ସ୍ଥିର ହୋଇଛି । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ଯାଏଁ ଭୋଟ୍ ଗଣିତି କରାଯିବ । ଭୋଟ୍ ଗଣତି ପରେ କୌଣସି ପ୍ରାର୍ଥୀ ବିଜୟ ଶୋଭାଯାତ୍ରା କରିବେ ନାହିଁ । ନିର୍ବାଚନରେ ନିଯୋଜିତ କର୍ମଚାରୀ କୋଭିଡ୍ ମାର୍ଗଦର୍ଶିକା ଆଧାରରେ କାର୍ଯ୍ୟ କରିବେ ।