17.1 C
Bhubaneswar
Tuesday, November 19, 2024
Homeଓଡିଶାପଞ୍ଚାୟତ ନିର୍ବାଚନ: ୬ରେ ସର୍ବଦଳୀୟ ବୈଠକ

ପଞ୍ଚାୟତ ନିର୍ବାଚନ: ୬ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପୂର୍ବରୁ ମାନସ ମନ୍ଥନ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ନଭେମ୍ବର ୬ରେ ଡାକିଛନ୍ତି ପ୍ରଥମ ସର୍ବଦଳୀୟ ବୈଠକ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆୟୋଗ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବିଚାରବିମର୍ଶ କରି ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ଉପରେ ଫୋକସ୍ କରିବେ । ସେହିପରି ପଞ୍ଚାୟତ ନିର୍ବାଚନ ତାରିଖ କେବେ ଧାର୍ଯ୍ୟ ହେବ ତା’ଉପରେ ମଧ୍ୟ ପ୍ରାରମ୍ଭିକ ଆଲୋଚନା ହେବ ।  ବୁଧବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ ଜିଲ୍ଲା ସ୍ତରରେ ସଂରକ୍ଷଣ ଝାମେଲା ସରିଛି । ଜିଲ୍ଲାପାଳମାନେ ଚୂଡ଼ାନ୍ତ ତାଲିକା ଦେଇସାରିଛନ୍ତି ।

ଆସନ୍ତା ଅକ୍ଟୋବର ୩୦ରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ଦେବ । ଏହାପରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ତେଣୁ ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ନଭେମ୍ବର ୬ରେ ପୂର୍ବାହ୍ନ ୧୧ରେ ସର୍ବଦଳୀୟ ବୈଠକ ଡକାଯାଇଛି । ଆୟୋଗଙ୍କ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି, ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇପାରିବେ । କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ଲିଖିତ ଅନୁରୋଧ କରାଯାଇଛି ।ଶ୍ରୀ ପାଢ଼ୀ କହିଛନ୍ତି ଯେ ତ୍ରି-ସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସେଥିପାଇଁ ଧାର୍ଯ୍ୟ ସମୟ ପୁର୍ବରୁ ନିର୍ବାଚନ କରାଯିବ ।

ରାଜନୈତିକ ଦଳର ପ୍ରତିନିଧିଙ୍କ ମତ ଆଧାରରେ ତାରିଖ ସ୍ଥିର ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖନୀୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମୁଦାୟ ଆସନର ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ରହିବ । ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ପଛୁଆ ବର୍ଗଙ୍କୁ ମିଶାଇ ମୋଟ୍ ୫୦ ପ୍ରତିଶତ ଆସନ ସଂରକ୍ଷଣ ହେବ । ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦରେ ସଂରକ୍ଷଣ ବ୍ୟବସ୍ଥା ପଞ୍ଚାୟତିରାଜ ବିଭାଗ କରିଥିଲା ବେଳେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଲାପାଳ କରିଛନ୍ତି ।

ଜିଲ୍ଲାପାଳମାନେ ୧୯୬୫ ପଞ୍ଚାୟତ ନିର୍ବାଚନ ରୁଲ୍ସର ଧାରା- ୩ ଓ ୪ ଅନୁସାରେ ଆସନ ସଂରକ୍ଷଣ କରିଛନ୍ତି । ଅକ୍ଟୋବର ୨୧ରେ ଆପତ୍ତି ଓ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳମାନେ ଅକ୍ଟୋବର ୨୬ରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତତି ପାଇଁ ଏସବୁ ପ୍ରସଙ୍ଗରେ ବି ଆଲୋଚେନା କରିପାରନ୍ତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking