ନୋଏଡା: ପ୍ରେମିକଙ୍କ ପାଖକୁ ଭାରତ ଆସିଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଏଡ଼ା ପୁଲିସ ହରିଆଣାର ବଲ୍ଲଭଗଡ଼ରୁ ଗିରଫ କରିଛି। ମୋବାଇଲ୍ ଗେମ୍ ପବ୍ଜି ଖେଳୁ ଖେଳୁ ଏହି ମହିଳାଙ୍କର ଜଣେ ଭରତୀୟ ଯୁବକଙ୍କ ସହିତ ପ୍ରେମ ହୋଇଯାଇଥିଲା । ଏହାପରେ ସେ ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ଚାରି ସନ୍ତାନଙ୍କ ସହିତ ଭାରତ ଆସିଥିଲେ । ସମ୍ପୃକ୍ତ ମହିଳା ସୀମା ମୂଳତଃ ପାକିସ୍ତାନ ସିନ୍ଧ ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ କରାଚିରେ ରହୁଥିଲେ । ମହିଳାଙ୍କ ପ୍ରେମିକ ସଚିନ୍ ଏବଂ ତାଙ୍କ ପିତା ନେତ୍ରପାଲଙ୍କୁ ମଧ୍ୟ ଗିରଫ କରାଯାଇଥିବା ଗ୍ରେଟର୍ ନୋଏଡା ଡିସିପି କହିଛନ୍ତି । ତଦନ୍ତରୁ ଜଣାପଡ଼ିଛି, ସୀମା ୫ମ ପର୍ଯ୍ୟନ୍ତ ପଢ଼ିଛନ୍ତି ଏବଂ ଲକ୍ଡାଉନ୍ ସମୟରେ ତାଙ୍କ ସ୍ୱାମୀ କାମ ପାଇଁ ସାଉଦୀ ଆରବ ଚାଲିଯାଇଥିଲେ । ସେହି ସମୟରେ ପବ୍ଜି ଗେମ୍ରୁ ହିଁ ତାଙ୍କର ସଚିନ୍ ସହିତ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଏହାପରେ ସେ ଇଣ୍ଟରନେଟ୍ ଜରିଆରେ ପାକିସ୍ତାନରୁ ଭାରତ ଆସିବା ରାସ୍ତା ଖୋଜିଥିଲେ ।
ଏଥିପାଇଁ ନେପାଳ ତାଙ୍କ ପାଇଁ ସବୁଠୁ ଉନ୍ନତ ବିକଳ୍ପ ହୋଇଥିଲା । ୨୦୨୩ରେ ଦୁହେଁ କାଠମାଣ୍ଡୁରେ ୭ ଦିନ ରହିଥିଲେ । ଏହାପରେ ଟୁରିଷ୍ଟ୍ ଭିସା ନେଇ ନେପାଳ ଚାଲିଆସିଥିଲେ । ସେ ସଚିନ ସହିତ ରହିବା ନିମନ୍ତେ ସବୁଦିନ ପାଇଁ ଶିଫ୍ଟ ହେବାକୁ ଚାହାନ୍ତି ବୋଲି ପୁଲିସକୁ କହିଛନ୍ତି । ମହିଳାଙ୍କ ଜଣେ ଭାଇ ପାକିସ୍ତାନ ସେନାରେ ଚାକିରି କରୁଥିବା କୁହାଯାଉଛି । ପୁଲିସ ଏହାର ତଦନ୍ତ ଚଳାଇଛି । ଏହା ବ୍ୟତୀତ ସୀମା ନିକଟରୁ ପୁଲିସ ଦୁଇଟି ଭିଡିଓ କ୍ୟାସେଟ୍, ୪ ମୋବାଇଲ୍, ଗୋଟିଏ ସିମ୍, ଗୋଟିଏ ଭଙ୍ଗା ମୋବାଇଲ୍, ୪ ବାର୍ଥ ସାଟିଫିକେଟ୍, ୩ ଆଧାର କାର୍ଡ, ପାକିସ୍ତାନ ସରକାରଙ୍କ ନାସ୍ନାଲ୍ ଡାଟାବେସ୍ ଏବଂ ରେଜିଷ୍ଟ୍ରେସନ୍ ଅଥରିଟିର ଗୋଟିଏ ତାଲିକା, ୬ ପାସ୍ପୋର୍ଟ, ୫ ଭ୍ୟାକ୍ସିନେସନ୍ କାର୍ଡ, ପୋଖରା (ନେପାଳ)ରୁ ଦିଲ୍ଲୀ ବସ୍ ଟିକେଟ୍ ଜବତ ହୋଇଛି ।