ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏକ ‘ଆଇନଗତ ଅନୁରୋଧ’ ଯୋଗୁଁ ଅରଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଭାରତରେ ଅବରୋଧ କରାଯାଇଛି। ଭାରତରେ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆକ୍ସେସ୍ କରିବାକୁ ଚେଷ୍ଟା କରୁଥିବା ଲୋକମାନେ “ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ” ବୋଲି ମେସେଜ ପାଉଛନ୍ତି। ଏଥିପାଇଁ ଏକ ଆଇନଗତ ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି।”
୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଭାରତରେ ବହୁ ସଂଖ୍ୟକ ଅନୁସରଣକାରୀ ଥିବା ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ସରକାର ଅବରୋଧ କରିଛନ୍ତି। ଏହି ସପ୍ତାହର ଆରମ୍ଭରେ, “ଭାରତ, ଏହାର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ, ମିଥ୍ୟା ଏବଂ ଭ୍ରାମକ କାହାଣୀ ଏବଂ ଭୁଲ ସୂଚନା ପ୍ରସାରଣ” ପାଇଁ ଭାରତରେ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ନିଷିଦ୍ଧ କରାଯାଇଥିଲା।
ଭାରତରେ ପୂର୍ବତନ କ୍ରିକେଟର ସୋଏବ ଅଖତର, ବାସିତ ଅଲି ଏବଂ ଶାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ୍ ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରାଯାଇଛି। ତଥାପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଉପଲବ୍ଧ। ଭାରତରେ ପାକିସ୍ତାନୀ ଅଭିନେତା ଅଲି ଜାଫର ଏବଂ ମାହିରା ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି। ସେମାନେ ପାକିସ୍ତାନ ଏବଂ ଆତଙ୍କବାଦ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଚାହାଁନ୍ତି। ଏହି ସମୟରେ, ପାକିସ୍ତାନୀ ଆଥଲେଟ୍ ଅର୍ଶଦ ନଦୀମଙ୍କୁ ଭାରତ ଡାକିବା ପ୍ରସଙ୍ଗରେ ସୋସିଆଲ ମିଡିଆରେ ଆଥଲେଟ୍ ନୀରଜ ଚୋପ୍ରା ଲଗାତାର ଟ୍ରୋଲ୍ ହେଉଥିଲେ। ଏହା ପରେ ସେ ସ୍ପଷ୍ଟୀକରଣ ଦେଇ କହିଲେ ଯେ ମୋର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଯାଉଥିବା ଦେଖି ଦୁଃଖ ଲାଗୁଛି।
ନୀରଜ ଲେଖିଛନ୍ତି, “ମୁଁ ସାଧାରଣତଃ କମ୍ ଶବ୍ଦର ଲୋକ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ମୁଁ ଯାହା ଭୁଲ ବୋଲି ଭାବୁଛି ତାହା ବିରୁଦ୍ଧରେ କହିବି ନାହିଁ। ବିଶେଷକରି ଯେତେବେଳେ ଆମ ଦେଶ ପ୍ରତି ମୋର ପ୍ରେମ ଏବଂ ମୋ ପରିବାରର ସମ୍ମାନ ଏବଂ ପ୍ରତିଷ୍ଠା ଉପରେ ପ୍ରଶ୍ନ ଉଠାଯାଏ।”










