କରାଚି: ସୋମବାରଠାରୁ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ଘରୋଇ ପାକିସ୍ତାନ ବିଜୟ ସହ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ ପାଇ ପାକିସ୍ତାନ ୬ ୱିକେଟ୍ରେ ୨୦୦ ରନ୍ କରିଥିବା ବେଳେ ଜବାବରେ ୱେଷ୍ଟ୍ଇଣ୍ଡିଜ୍ ଇନିଂସ ୧୯ ଓଭର୍ରେ ୧୩୭ ରନ୍ରେ ସୀମିତ ରହିଛି । ମାତ୍ର ୩୯ଟି ବଲ୍ରେ ୬ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୬୮ ରନ୍ କରିଥିବା ପାକ୍ ବ୍ୟାଟ୍ସମ୍ୟାନ୍ ହାଇଦର୍ ଅଲୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଏହାଛଡ଼ା ପାକିସ୍ତାନ ପକ୍ଷରୁ ଓପନର ମହମ୍ମଦ ରିଜୱାନ୍ ୫୨ ବଲ୍ରେ ୧୦ଟି ଚୌକା ସହ ୭୮ ଏବଂ ଶେଷ ଭାଗରେ ମହମ୍ମଦ ନୱାଜ୍ ମାତ୍ର ୧୦ଟି ବଲ୍ରେ ୩ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୩୦ ରନ୍ କରିଥିଲେ ।
ଇଣ୍ଡିଜ୍ ପକ୍ଷରୁ ରୋମାରିଓ ଶେଫର୍ଡ ୨ଟି ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଇଣ୍ଡିଜ୍ ପାଇଁ ଓପନର୍ ଶାଇ ହୋପ୍ ୪ଟି ଚୌକା ସହ ୩୧, ଓଡିନ୍ ସ୍ମିଥ୍ ୨ଟି ଲେଖାଏଁ ଚୌକା ଓ ଛକା ସହ ୨୪, ଶେଫର୍ଡ ୨ଟି ଚୌକା ଓ ଗୋଟିଏ ଛକା ସହ ୨୧ ଏବଂ ରୋଭମାନ୍ ପାୱେଲ୍ ଗୋଟିଏ ଚୌକା ଓ ୨ଟି ଛକା ସହ ୨୧ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ୍ ଜୁନିୟର୍ ୪ଟି ଓ ଶାଦାବ୍ ଖାନ୍ ୩ଟି ୱିକେଟ୍ ନେଇଥିଲେ । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଖେଳାଯିବ ।