ନୂଆଦିଲ୍ଲୀ : ପାକିସ୍ତାନକୁ ଝଟକା। ସିନ୍ଧୁ ନଦୀଜଳ ଚୁକ୍ତି ବାତିଲ କରିବା ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଜମ୍ମୁକାଶ୍ମୀରର ଚେନାବ ନଦୀରେ ଏକ ବୃହତ୍ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ କଲା ଭାରତ। ଏଥିପାଇଁ ୫,୧୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ନିର୍ମାଣ ଲାଗି ଜାତୀୟ ଜଳବିଦ୍ୟୁତ ଶକ୍ତି ନିଗମ (ଏନ୍ଏଚ୍ପିସି) ଲିମିଟେଡ ପକ୍ଷରୁ ଗତ ୫ ତାରିଖରେ ବିଭିନ୍ନ କମ୍ପାନିଙ୍କୁ ଆମନ୍ତ୍ରଣ କରାଯାଇଛି । ଜମ୍ମୁ-କାଶ୍ମୀରର ରାମବନ ଓ ଉଧମପୁର ଜିଲ୍ଲାରେ ଚେନାବ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ସାୱାଲକୋଟ୍ ଜଳବିଦ୍ୟୁତ ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟରେ ୧,୪୦୬ ମେଗାୱାଟର ପ୍ରକଳ୍ପ ନିର୍ମାଣ କରାଯିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଉପରି ଭାଗରେ ବାଗଲିହର ପ୍ରୋଜେକ୍ଟ ଓ ତଳଭାଗରେ ସାଲାଇ ପ୍ରୋଜେକ୍ଟ ମଧ୍ୟବର୍ତ୍ତୀ ସ୍ଥାନରେ ଚେନାବ ନଦୀରେ ୪୫୦ ମେଗାୱାଟର ପ୍ରକଳ୍ପ ନିର୍ମାଣ କରାଯିବ।
ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ନିର୍ମାଣ ପଦ୍ଧତି, ଯନ୍ତ୍ରପାତି ଓ ଆବଶ୍ୟକ ଉପକରଣ ତୁରନ୍ତ ଯୋଗାଇଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ପାକିସ୍ତାନ ସହ ସିନ୍ଧୁ ନଦୀଜଳ ଚୁକ୍ତି ବାତିଲ କରାଯିବା ପରେ ପରିବେଶ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ କମିଟି ଗତବର୍ଷ ଅକ୍ଟୋବରରେ ୧,୮୫୬ ମେଗାୱାଟ ବିଶିଷ୍ଟ ଏହି ପ୍ରକଳ୍ପ ନିର୍ମାଣ ଲାଗି ଅନୁମତି ପ୍ରଦାନ କରିଥିଲା । ଏନ୍ଏଚ୍ପିସି ପକ୍ଷରୁ ବିଭିନ୍ନ କମ୍ପାନି ଠାରୁ ଏହି ପ୍ରକଳ୍ପ ନିର୍ମାଣ ଲାଗି ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ମିଳିବାର ୧୨ ମାସ ଭିତରେ ସମସ୍ତ ଭୂତଳ ଓ ଭୂପୃଷ୍ଠ କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି ।
ଅଣମୌସୁମୀ ସମୟରେ ପ୍ରକଳ୍ପର ୫୦ ପ୍ରତିଶତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଅବଶିଷ୍ଟ ୫୦ ପ୍ରତିଶତ କାର୍ଯ୍ୟ ମୌସୁମୀ ସମୟରେ ଶେଷ କରାଯିବ। ତେବେ ସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୯ ବର୍ଷ ସମୟ ଲାଗିବ ବୋଲି ଜାରି ଦସ୍ତାବିଜରୁ ଜଣାପଡିଛି । ଏହା ବ୍ୟତୀତ ଚେନାବ ନଦୀ ସିଷ୍ଟମରେ ଅନ୍ୟ ୪ଟି ଛୋଟ ପ୍ରକଳ୍ପ ତୁରନ୍ତ ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେଥିରେ ପକୁଲ ଡୁଲ ଓ କିରୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଶେଷ ସୁଦ୍ଧା ସାରିବାକୁ କୁହାଯାଇଥିଲା ବେଳେ କ୍ୱାର ପ୍ରକଳ୍ପର କାର୍ଯ୍ୟ ୨୦୨୮ ମାର୍ଚ୍ଚରେ ସାରିବାକୁ କୁହାଯାଇଛି । ସେହିଭଳି ରାଟେଲ ଡ୍ୟାମ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଯଥାଶୀଘ୍ର ଶେଷ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।










