ଇସ୍ଲାମ୍ବାଦ୍: ଅତି ଦୟନୀୟ ଆର୍ôଥକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନରୁ ଆସୁଛି ଗୋଟିଏ ପରେ ଗୋଟିଏ ସାଂଘାତିକ ଦୃଶ୍ୟ । ଜୀବନ ପାଇଁ ସଂଗ୍ରାମ କରୁଥିବା ଦେଶର କିଛି ଜନତା ଖାଦ୍ୟ ପାଇଁ କେତେ ଆତୁର ତାର ଚିତ୍ର ସାମ୍ନାକୁ ଆସିଛି । କୌଣସି ମୋଟର ସାଇକେଲ ରାଲି ଚାଲିଛି, କିନ୍ତୁ ବାସ୍ତବରେ ଏ ଚିତ୍ର ହେଉଛି, ଅଟା ନେଇ ଯାଉଥିବା ଟ୍ରକ୍ ପଛରେ ମହୁମାଛି ଭଳି ଲୋକ ଗୋଡାଇଛନ୍ତି । ଲୋକେ ଡ୍ରାଇଭରକୁ ଟଙ୍କା ବି ଯାଚୁଛନ୍ତି, ନେହୁରା ବି ହେଉଛନ୍ତି, କିଛି ଅଟା ଦେଇଯିବାକୁ । ପାକିସ୍ତାନରେ ଏବେ ଅଟା ଓ ଚିନିଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ପଦାର୍ଥର ଘୋର ଅଭାବ ସୃଷ୍ଟି ହୋଇଛି । ଅଟା ପ୍ୟାକେଟ୍ ପିଛା ୩ ହଜାର ଟଙ୍କାରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି । ଏହାସତ୍ତ୍ୱେ ଅଧିକାଂଶ ସ୍ଥାନରେ ଅଟା ମିଳୁନାହିଁ । ଫଳରେ ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି । ଏହାର କିଛି ଦିନ ପୂର୍ବରୁ ଖାଇବର ପଖତୁନୱା ପ୍ରଦେଶର ଏକ ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା । ଜାଳେଣୀ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଲୋକେ ଅତି ବିପଦଜନକ ଭାବେ ପଲିଥିନ୍ ବ୍ୟାଗରେ ଅଳ୍ପ ପରିମାଣର ଗ୍ୟାସ କିଣି ନେଉଥିବା ଦେଖିବାକୁ ମିଳିଥିଲା । ଏମିତିକି ଏଭଳି ଗ୍ୟାସ ନେବା ଦ୍ୱାରା ବିସ୍ଫୋରଣ ଘଟି ବହୁ ଲୋକ ଆହତ ବି ହୋଇଥିବା କୁହାଯାଇଥିଲା ।