ଇସ୍ମାଲାବାଦ: ପାକିସ୍ତାନରେ ପୁଣିଥରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି । ଏହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିର୍ବାଚନ ଘୋଷଣା ପାଇଁ ଶାହବାଜ୍ ସରକାରଙ୍କୁ ୬ ଦିନର ଅଲ୍ଟିମେଟମ୍ ଦେଇ ରାଜଧାନୀରୁ ଫେରିଛନ୍ତି । ସରକାର ୬ ଦିନ ମଧ୍ୟରେ ତାରିଖ ଘୋଷଣା କରିବା ପାଇଁ ସେ କହିଛନ୍ତି । ଲକ୍ଷାଧିକ ସମର୍ଥକଙ୍କ ସହ ଇମ୍ରାନ୍ଙ୍କ ଆଜାଦୀ ମାର୍ଚ୍ଚ ବୁଧବାର ଅଧରାତିରେ ଇସ୍ଲାମାବାଦରେ ପହଞ୍ଚିବା ପରେ ସେଠାରେ ପିଟିଆଇ ସମର୍ଥକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ପୁଲିସ୍ ଇମ୍ରାନ୍ଙ୍କ ସମର୍ଥକଙ୍କ ଉପରେ ଟିୟର୍ ଗ୍ୟାସ୍ ପ୍ରୟୋଗ କରିଥିଲା । ଇମ୍ରାନ୍ଙ୍କ ଆଜାଦୀ ମାର୍ଚ୍ଚକୁ ଦୃଷ୍ଟିରେ ରଖି ଇସ୍ଲାମାବାଦକୁ ରେଡ୍ ଜୋନ୍ ଘୋଷଣା କରାଯାଇଥିଲା । ସେହିପରି ବିଭିନ୍ନ ଗୁରୁତ୍ୱପୂର୍ଣର୍ ସ୍ଥାନର ସୁରକ୍ଷା ପାଇଁ ଗୃହ ମନ୍ତ୍ରଣାଳୟ ସେନାବାହିନୀକୁ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଥିଲା । ରାଜଧାନୀରେ ଆଜାଦୀ ମାର୍ଚ୍ଚକୁ ସମ୍ବୋଧିତ କରି ଇମ୍ରାନ୍ ଖାନ୍ କହିଥିଲେ, ସରକାର ଆସେମ୍ବ୍ଲି ଭଙ୍ଗକରି ନିର୍ବାଚନ ତାରିଖ ଘୋଷଣା କରିବା ପର୍ଯ୍ୟନ୍ତ ଏଠାରେ ବସିବା ପାଇଁ ପୂର୍ବତନ ନିଷ୍ପତ୍ତି ନେଇଥିଲି । ମାତ୍ର ଗତ ୨୪ ଘଣ୍ଟାରେ ଦେଖିବାକୁ ପାଇଲି ସରକାର ଦେଶକୁ ଅରାଜକତା ଆଡ଼କୁ ନେଇଯାଉଛନ୍ତି ।’