ଇସ୍ଲାମାବାଦ: ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀଙ୍କ ଉପରେ ପାକିସ୍ତାନ ସେନା ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି। ଗୋଟିଏ ଏୟାରଷ୍ଟ୍ରାଇକ୍ ଆଫଗାନିସ୍ତାନ ଭିତରେ କରାଯାଇଥିବାବେଳେ ୨ୟଟି ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ସୀମାନ୍ତ ଅଂଚଳରେ କରାଯାଇଛି । ପାକିସ୍ତାନ ସେନା ମଙ୍ଗଳବାର ଏକ ବଡ଼ ଦାବି କରି କହିଛି ଯେ ମାର୍ଚ୍ଚ ମାସରେ ଖାଇବର ପଖ୍ତୁନଖୱାର ବିଶ୍ରମ ଅଞ୍ଚଳରେ ଚୀନ୍ ଇଞ୍ଜିନିୟରଙ୍କ ଉପରେ ହୋଇଥିବା ଆକ୍ରମଣର ଷଡ଼ଯନ୍ତ୍ର ଆଫଗାନିସ୍ତାନରେ ଯୋଜନା କରାଯାଇଥିଲା। ପାକିସ୍ତାନୀ ସେନାର ଏହି ଦାବି ପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି ।
ପାକିସ୍ତାନୀ ସାମ୍ବାଦିକ କାମରାନ ୟୁସୁଫ ଗଣମାଧ୍ୟମରିପୋର୍ଟକୁ ଉଦାହରଣ ଦେଇ କହିଛନ୍ତି ଯେ ମେ ୧୦ ତାରିଖରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପକ୍ତିକା ପ୍ରଦେଶରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ପାକିସ୍ତାନରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୫ ଜଣ ଟିଟିପି ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ୭ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି।
ଆଫଗାନିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍ କୁ ନେଇ ପାକିସ୍ତାନ କିମ୍ବା ଆଫଗାନିସ୍ତାନ ତାଲିବାନ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଖୋରାସାନ ଡାଏରୀ ତା’ର ରିପୋର୍ଟରେ କହିଛି, ପାକିସ୍ତାନର ୱାଜିରିସ୍ତାନ ଅଞ୍ଚଳରେ ଥିବା ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ଥିବା ଟିଟିପିର ଲଢୁଆ ୟୁନିଟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ନାମ ଗୋପନ ରଖିବା ସର୍ତ୍ତରେ ଟିଟିପି ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ଆକ୍ରମଣରେ ଅତି କମରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।