ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ୫ରେ ହେବ ମତଦାନ । ତେଣୁ ଶେଷ ଦିନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନେତା ଓ କର୍ମୀମାନେ ଗାଁ ଗାଁରେ ବୁଲି ଜୋର୍ଦାର ପ୍ରଚାର କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ନିର୍ବାଚନୀ ସଭାକରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବା ବେଳେ ସେ ଦେଇଥିବା ପ୍ରତିଶ୍ରୁତି ନିଶ୍ଚୟ ପୂରଣ ହେବ ବୋଲି କହିଥିଲେ । କେନ୍ଦୁପତ୍ର ଉପରେ ଜିଏସ୍ଟି, ଚାଷୀଙ୍କୁ ଫସଲ ବୀମା, ବରଗଡ଼ରୁ ପଦ୍ମପୁର ଦେଇ ନୂଆପଡ଼ା ରେଳପଥ ନିର୍ମାଣ ପ୍ରସଙ୍ଗରେ ସେ କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ ପଦ୍ମପୁରବାସୀଙ୍କ ଜିଲ୍ଲା ସ୍ୱପ୍ନ ୨୦୨୩ ସୁଦ୍ଧା ପୂରଣ ହେବ ବୋଲି କହିଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ ପ୍ରଚାର କରିବା ସହିତ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗ ଗୁଡ଼ିକର ପାଲଟା ଜବାବ ଦେଇଥିଲେ । ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଚାର ଶେଷରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରି ସେମାନେ ପଦ୍ମପୁରବାସୀଙ୍କୁ ଯେଉଁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ତାହା ଜବାବ ଭୋଟ୍ରେ ପାଇବେ ବୋଲି କହିଥିଲେ । ଆଜି ପ୍ରଚାର ସରିବା ପରେ ସନ୍ଧ୍ୟା ସୁଦ୍ଧା ସମସ୍ତ ନେତାଙ୍କୁ ପଦ୍ମପୁର ଛାଡ଼ିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ତାହାକୁ କଡ଼ାକଡ଼ି ଭାବେ ପାଳନ କରିଛନ୍ତି । ସବୁ ଦଳର ନେତାମାନେ ସନ୍ଧ୍ୟା ସୁଦ୍ଧା ନିର୍ବାଚନମଣ୍ଡଳୀ ଛାଡ଼ି ଚାଲିଯିବାକୁ ଅନୁରୋଧ କରିଥିଲେ । ଉପନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯାଞ୍ଚ ପରେ ପଦ୍ମପୁର ଉପନିର୍ବାଚନ ମୈଦାନରେ ରହିଛନ୍ତି ୧୦ ପ୍ରାର୍ଥୀ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨୭୯ଟି ବୁଥ୍ରେ ଡିସେମ୍ବର ୫ରେ ଭୋଟ୍ଗ୍ରହଣ ହେବ । ଡିସେମ୍ବର ୮ରେ ଗଣତି କାର୍ଯ୍ୟ କରାଯିବ । ପ୍ରତି ବୁଥ୍ରେ ସର୍ବାଧିକ ୧୫ଶହ ମତଦାତା ମତଦାନ କରିପାରିବେ । ନିର୍ବାଚନ ମଣ୍ଡଳୀରେ ୧ ଜାନୁଅ।।ରୀ ୨୦୨୨ ସୁଦ୍ଧା ୨,୫୭,୪୭୪ ଭୋଟ୍ର ଅଛନ୍ତି । ସେମାନଙ୍କ ମଧ୍ୟରୁ ୧,୨୯,୪୯୭ ଭୋଟର୍ ପୁରୁଷ ଓ ୧,୨୭,୯୬୫ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଓ ୨୨୩୩ ଦିବ୍ୟାଙ୍ଗ ଭୋଟର୍ ଅଛନ୍ତି । ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ୱ ୪୩୯୩ ଭୋଟର୍ ଓ ୧୯୯ ସର୍ଭିସ ଭୋଟର୍ ରହିଛନ୍ତି । ତେବେ ପୂର୍ବ ସାଧାରଣ ନିର୍ବାଚନ-୨୦୧୯ ଭଳି ନିୟମ ଲାଗୁ ହୋଇଛି । ସକାଳ ୭ରୁ ଅପରାହ୍ନ ୫ ପରିବର୍ତ୍ତେ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ସମୟ ଧାର୍ଯ୍ୟ ହୋଇଛି । ତିନି ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ବିଜେଡିର ବର୍ଷା ସିଂ ବରିହା, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।