29.1 C
Bhubaneswar
Wednesday, July 3, 2024
Homeଓଡିଶାଆମ ହସ୍ପିଟାଲ’ ଯୋଜନା; ଜିଲ୍ଲା ଚିକିତ୍ସାଳୟରେ ମିଳିବ ୧୪୬ ପରୀକ୍ଷା ସୁବିଧା

ଆମ ହସ୍ପିଟାଲ’ ଯୋଜନା; ଜିଲ୍ଲା ଚିକିତ୍ସାଳୟରେ ମିଳିବ ୧୪୬ ପରୀକ୍ଷା ସୁବିଧା

ଭୁବନେଶ୍ୱର: ରାଜ୍ୟ ସରକାର ଜିଲ୍ଲାସ୍ତରରେ ମିଳୁଥିବା ନିଶୁଳ୍କ ରୋଗ ନିରୂପଣ ପରୀକ୍ଷା ପରିସର ୧୪୬କୁ ବୃଦ୍ଧି କରିଛନ୍ତି । ମେଡିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧ ପ୍ରକାର ଟେଷ୍ଟର ସୁବିଧା ମିଳିବ । ସ୍ୱାସ୍ଥ୍ୟ ସବ୍‌-ସେଣ୍ଟର୍ ଠାରୁ ଆରମ୍ଭ କରି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପର୍ଯ୍ୟନ୍ତ ସ୍ତରୱାରୀ ତାଲିକା ଅନୁସାରେ ଏହି ସବୁ ପରୀକ୍ଷା ସୁବିଧା ମିଳିପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞନ ପୁଜାରୀ କହିଛନ୍ତି । ସେ କହିଲେ ଯେ ୫-ଟି ନୀତି ଅନୁସାରେ ପ୍ରଣିତ ‘ଆମ ହସ୍ପିଟାଲ’ ଯୋଜନା ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଫଳରେ ଏଥିପାଇଁ ହେଉଥିବା ବିଳମ୍ବ ଏଡ଼ାଯାଇ ପାରିବ ଏବଂ କ୍ଷେତ୍ରସ୍ତରୀୟ ଆବଶ୍ୟକତା ଅନୁସାରେ ପ୍ରକଳ୍ପରେ ଛୋଟ ମୋଟ ପରିବର୍ତ୍ତନ କରାଯାଇ ପାରିବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାନୁଆରୀ ୨୦୧୮ ରୁ ଆରମ୍ଭ କରାଯାଇଥିବା ନିଦାନ ଯୋଜନାରେ ଏହି ସବୁ ସୁବିଧା ମିଳିବ । ଆୟବର୍ଗ ନିର୍ବିଶେଷରେ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ସବୁଲୋକ ଏହି ନିଶୁଳ୍କ ମାଗଣା ସେବା ପାଇ ପାରିବେ । ସେ କହିଛନ୍ତି ଯେ ରୋଗନିରୀକ୍ଷଣ ତଥ୍ୟ ଭିତ୍ତିରେ ରାଜ୍ୟରେ ବିଭିନ୍ନ ରୋଗର ସଂପ୍ରତି ସ୍ଥତିକୁ ଲକ୍ଷ୍ୟକରି ମାଗଣା ରୋଗନିରୂପଣ ପରୀକ୍ଷା ତାଲିକା ପ୍ରସ୍ତୁତ କରାଯାଇଛି । ଏଣିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତରରେ ୧୪୬ ପ୍ରକାର ପରୀକ୍ଷା, ଉପଖଣ୍ଡ ଚିକିତ୍ସାଳୟ ସ୍ତରରେ ୧୨୧ ପ୍ରକାର, କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ୧୦୩ ପ୍ରକାର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ୬୫ ପ୍ରକାର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ତରରେ ୧୬ ପ୍ରକାର ରୋଗ ନିରୂପଣ ପରୀକ୍ଷା ମାଗଣାରେ କରାଯିବ ।

ଖର୍ଚ୍ଚ ବହୁଳ ଏବଂ ସ୍ପେସାଲିଟି ସେବା ପରୀକ୍ଷାଗୁଡିକୁ ଦକ୍ଷ ଓ ଅଭିଜ୍ଞ ରୋଗନିରୂପକ ସଂସ୍ଥାମାନଙ୍କ ମାଧ୍ୟମରେ କରାଯିବ । ଜନସାଧାରଣଙ୍କ ସୁବିଧା ନିମନ୍ତେ ଚୟନ ହୋଇଥିବା ସଂସ୍ଥା ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଆବଶ୍ୟକୀୟ ସଂଖ୍ୟକ ସାମ୍ପୁଲ୍ ସଂଗ୍ରହ କେନ୍ଦ୍ର ଖୋଲିବେ । ପ୍ରତି ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ଏକ ସୁଦୃଶ୍ୟ ଯାଗାରେ ମାଗଣାରେ ମିଳୁଥିବା ପରୀକ୍ଷା ତାଲିକା ବିଜ୍ଞାପିତ ହେବ; ଯେପରିକି ଜନସାଧାରଣ ଏ ବିଷୟରେ ସଠିକ୍ ସୂଚନା ପାଇପାରିବେ ।

ବିଭିନ୍ନ ପ୍ରକାର ରୋଗନିରୂପଣ ପରୀକ୍ଷାର ଗୁଣାତ୍ମକମାନ ବଜାୟ ରଖିବା ପାଇଁ ଉଭୟ ଅନ୍ତଃ-ବିଭାଗୀୟ ଏପଂ ବାହ୍ୟ-ଆନୁଷ୍ଠାନିକ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ କହିଥିଲେ । ସୂଚନାରୁ ଜଣାପଡିଛି ଯେ ପ୍ରାୟ ୫୮ ପ୍ରକାର ଖର୍ଚ୍ଚ ବହୁଳ ସ୍ପେସାଲିଟି ସେବା ପରୀକ୍ଷାକୁ ନିଦାନ ଅନ୍ତର୍ଭୁକ୍ତ କରାଯାଇଛି । ପରୀକ୍ଷାୱାରୀ ରିପୋର୍ଟ ପାଇବାର ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ପ୍ରକଳ୍ପର ପ୍ରସ୍ତୁତି, ଏହାର ଅନୁମୋଦନ, କାର୍ଯ୍ୟାୟନ ସଂସ୍ଥା ଚୟନ, କ୍ଷେତ୍ରସ୍ତରୀୟ ଅନୁଧ୍ୟାନ, ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆଦି କ୍ଷମତା ଜିଲ୍ଲାସ୍ତରୀୟ କମିଟିକୁ ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking