ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଏକ ଅର୍ଗାନିକ୍ ରେସ୍ତୋରଁ ଉଦ୍ଘାଟିତ ହୋଇଛି । ତେବେ କୌତୁହଳର ବିଷୟ ହେଉଛି ରୋସ୍ତୋରାଁ ମାଲିକ ଏଥିପାଇଁ ଗୋଟିଏ ଗାଈକୁ ମୁଖ୍ୟଅତିଥିଭାବେ ଆମନ୍ତ୍ରଣ କରି ଏହାକୁ ଉଦ୍ଘାଟନ କରିଛନ୍ତି । ପୂର୍ବତନ ଡିଏସ୍ପି ଶୈଳେନ୍ଦ୍ର ସିଂହଙ୍କ ମାଲିକାନାରେ ଖୋଲିଥିବା ଏହି ରେସ୍ତୋରାଁର ନାମ ‘ଅର୍ଗାନିକ୍ ଓଏସିସ୍’ ରଖାଯାଇଛି ।
ଏହି ରେସ୍ତୋରାଁରେ ଅର୍ଗାନିକ୍ (ବିନା ସାର ଓ କୀଟନାଶକ ପ୍ରୟୋଗ) ଉପାୟରେ ଉତ୍ପାଦିତ ପନି ପରିବା ବ୍ୟବହାର କରାଯାଇ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ମୁଖ୍ୟ ଅତିଥି ଏହି ଗାଈକୁ ହଳଦିଆ ବସ୍ତ୍ର ଏବଂ ଅଳଙ୍କାରରେ ସଜ୍ଜିତ କରାଯାଇଥିବାବେଳେ ରେସ୍ତୋରାଁର ସବୁ କର୍ମଚାରୀ ‘ଅର୍ଗାନିକ୍ ଓଏସିସ୍’ ଲେଖାଥିବା ଟି-ସାର୍ଟ ପରିଧାନ କରିଥିଲେ । ଭାରତୀୟ ଅର୍ଥନୀତି ଓ କୃଷିରେ ଗାଈର ଭୂମିକା ରହିଥିବାରୁ ‘ଗୋମାତା’ଙ୍କୁ ମୁଖ୍ୟଅତିଥି ମନୋନୀତ କରାଯାଇଥିଲା ବୋଲି ଶୈଳେନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି ।