19.1 C
Bhubaneswar
Tuesday, November 19, 2024
Homeଓଡିଶା+୨ ପରୀକ୍ଷା ସଂସ୍କାର ନୀତିକୁ ବିରୋଧ, ଲାଗୁ ହୋଇପାରେ ସ୍କ୍ୱାର୍ଡ ବ୍ୟବସ୍ଥା : ଗଣଶିକ୍ଷା ମନ୍ତ୍ରୀ

+୨ ପରୀକ୍ଷା ସଂସ୍କାର ନୀତିକୁ ବିରୋଧ, ଲାଗୁ ହୋଇପାରେ ସ୍କ୍ୱାର୍ଡ ବ୍ୟବସ୍ଥା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ସଂସ୍କାର ନୀତିରେ  ସରକାରଙ୍କ ମୋହର ବାଜିବା ପରେ ଆରମ୍ଭ ହୋଇଛି ଛାତ୍ର ଅସନ୍ତୋଷ । ବିକଳ୍ପ ବ୍ୟବସ୍ଥା ନାଁରେ ଅନେକ ଘରୋଇ କଲେଜରେ ପ୍ରିୟାପ୍ରୀତି ତଥା ଶୋଷଣ ଚାଲିବ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଯୁକ୍ତ ଦୁଇ ନୂତନ ଆସେସମେଣ୍ଟ ସ୍କିମର ସ୍ୱଚ୍ଛତାକୁ ନେଇ ବିହିତ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଘରୋଇ ଜୁନିଅର କଲେଜ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ଦେବାର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ଗଣଶିକ୍ଷା ବିଭାଗ ଅନୁମାନ କରୁଛି ।

ଯେହେତୁ ଏହା କୋଭିଡିକୁ ଦୃଷ୍ଟିରେ ରଖି ପ୍ରଥମ ଥର ହେଉଛି, ଏହାର ପୁନଃତର୍ଜମା କରାଯିବ । ସ୍କ୍ୱାର୍ଡ ବ୍ୟବସ୍ଥା ସମେତ ଅନ୍ୟ କଲେଜ ଅଧ୍ୟାପକ ଆସି ମୂଲ୍ୟାୟନ କରିବା ନେଇ ବିଚାର କରାଯାଇପାରେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେବେ ଏହି ବ୍ୟବସ୍ଥା ଯୋଗୁଁ କୌଣସି ମେଧାବୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ତେଣୁ  ଛାତ୍ରଛାତ୍ରୀ ବିଚଳିତ ନହେବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କରୋନା ପାଇଁ ନୂଆ ପଦ୍ଧତିରେ  +୨ ପରୀକ୍ଷା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଦୁଇ ବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ୍ ଓ ଦୁଇଟି ଆନୁଆଲ୍ ପରୀକ୍ଷା ହେବ ।

ତିନିମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷାଗୁଡିକରେ କିପରି ପ୍ରଶ୍ନ ଆସିବ ତାହା ବି ସ୍ପଷ୍ଟ କରାଯାଇଛି । ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ । ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ । ଯେଉଁଥିରୁ ପରୀକ୍ଷାର୍ଥୀ ତିନିଟିର ଉତ୍ତର ଦେବେ । ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ରଖିବେ ପରୀକ୍ଷାର୍ଥୀ । ପ୍ରଶ୍ନ ପଢି ବୁଝିବା ଲାଗି ଅତିରିକ୍ତ ୫ ମିନିଟ୍ ସମୟ ଦିଆଯିବ । ମୋଟ୍ ୪୫ ମିନିଟ୍‌ରେ ପରୀକ୍ଷା ହେବ । ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ କଲେଜଗୁଡିକୁ ନିର୍ଦ୍ଦେଶ ରହିଛି । ଏହାସହ ପ୍ରଥମ ବର୍ଷର ଆନୁଆଲ୍ ପରୀକ୍ଷା ମଧ୍ୟ କଲେଜସ୍ତରରେ ହେବ ।

ସିଏଚ୍‌ଏସ୍‌ଇ କେବଳ +୨ବୋର୍ଡ ପରୀକ୍ଷା ପରିଚାଳନା କରିବ । ଫଳରେ ରାଜ୍ୟର ଘରୋଇ ତଥା ରେସିଡେନ୍ସିଆଲ କଲେଜଗୁଡିକରେ ପିଲାଙ୍କ ଠାରୁ ଲକ୍ଷାଧିକ ଟଙ୍‌କା କୋର୍ସ ଫି’ ବାବଦରେ ଆଦାୟ କରାଯାଉଥିବାରୁ କଲେଜ ସ୍ତରରେ ଯେଉଁ ୬ଟି ଇଣ୍ଟରନାଲ୍ ପରୀକ୍ଷା କରାଯିବ ସେଥିରେ ଘରୋଇ କଲେଜର ପିଲାଙ୍କୁ ଅଧିକ ମାର୍କ ଦିଆଯିବ । ଏପରିକି ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ପ୍ରିୟାପ୍ରୀତି ହେବାର ସମ୍ଭାବନା ରହିଛି । ପୂର୍ବରୁ ଘରୋଇ କଲେଜରେ ପ୍ରଶ୍ନପତ୍ର ଲିକ୍ ହେବାର ନଜିର ରହିଛି । ତେଣୁ ଯେଉଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ସେଥିରେ ଘରୋଇ କଲେଜର ଛାତ୍ରଛାତ୍ରୀ ଅଧିକ ମାର୍କ ରଖିବା ବେଳେ ସରକାରୀ କଲେଜଗୁଡିରେ ପରୀକ୍ଷା ଦେଇଥିବା ମେଧାବୀ ଭଲ ମାର୍କ ପାଇପାରିବେ ନାହିଁ ।

ଯଦିଓ ବାର୍ଷିକ/ବୋର୍ଡ ପରୀକ୍ଷା +୨ ପରିଷଦ ପରିଚାଳନା କରିବ ତେବେ ଇଣ୍ଟରନାଲ ମାର୍କ ମିଶି ଚୂଡାନ୍ତ ଫଳ ପ୍ରକାଶ ପାଇବ । ଘରୋଇ କଲେଜରେ ଯଦି ପିଲାଙ୍କୁ ଇଣ୍ଟନାଲରେ ଅଧିକମାର୍କ ଦିଆଯାଏ ତେବେ ବୋର୍ଡ ପରୀକ୍ଷାରେ ସେମାନେ ଅଧିକ ମାର୍କ ହାସଲ କରିବେ ବୋଲି ଆଶଙ୍କା ରହିଛି । ଏପରି ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ବିକଳ୍ପ ବ୍ୟବସ୍ଥା କରାଗଲେ ରାଜ୍ୟରେ ମେଧାବୀଙ୍କୁ କେବେ ବି ଅଣଦେଖା କରାଯିବ ନାହିଁ । କଲେଜସ୍ତରରେ ପରୀକ୍ଷା କରାଗଲେ ସେଠାରେ ସ୍କ୍ୱାର୍ଡ କିମ୍ବା ଅନ୍ୟ କଲେଜରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯିବ । ସେହିପରି ପ୍ରାକ୍ଟିକାଲ ଲାଗି ବାହାର କଲେଜର ଏକ୍ସଟରନାଲଙ୍କୁ ଘରୋଇ କଲେଜ ଦାୟିତ୍ୱ ଦିଆଯିବ । ତେବେ ପରୀକ୍ଷା ପୂର୍ବରୁ ଏନେଇ ଚୂଡାନ୍ତ ସମୀକ୍ଷା କରାଯିବ । ତାହାପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking