କଟକ: ଅନ୍ଲାଇନ୍ ମୋବାଇଲ୍ କିଣାରେ ଠକେଇ ଅଭିଯୋଗ ମାମଲାର ବିଚାର କରି କଟକ ଜିଲା ଖାଉଟି ଅଦାଲତ ସମ୍ପୃକ୍ତ ମୋବାଇଲ୍ କମ୍ପାନିକୁ ୯୨,୩୯୮ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଉଟି ଅଦାଲତର ସଭାପତି ଦେବାଶିଷ ନାୟକ ଓ ସଦସ୍ୟ ଶିବାନନ୍ଦ ମହାନ୍ତି ମାମଲାର ବିଚାର କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାସ ମଧ୍ୟରେ ଏହିରାଶି ପ୍ରଦାନ କରିବା ପାଇଁ ଅଦାଲତ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ କଟକ ଭାଣପୁରର ଗୌରବ ମୋହନ ସିଂହ ୨୦୧୯ ଅଗଷ୍ଟ ୨୧ ତାରିଖରେ ଅନ୍ଲାଇନ୍ରେ ଏକ ୨୭,୯୯୯ଟଙ୍କାର ମୋବାଇଲ୍ କିଣିବାକୁ ଏକ ବର୍ଷର ବୀମାରାଶି ଓ ଅନ୍ୟାନ୍ୟ ଖର୍ଚ୍ଚ ସହ ୨୯,୩୯୮ ଟଙ୍କା ପଇଠ କରିଥିଲେ । ସେହି ମାସ ୨୪ ତାରିଖରେ ତାଙ୍କୁ ଏକ ମୋବାଇଲ ମିଳିଥିଲା ଯାହାର ଦାମ ୯,୯୯୯ ଟଙ୍କା ।
ସେ ଏ ସମ୍ପର୍କରେ ତୁରନ୍ତ ଡେଲିଭରି ବୟଙ୍କୁ ଜଣାଇଥିଲେ ବି ସେ କିଛି କରିପାରିବେ ନାହିଁ ବୋଲି କହିଥିଲେ । ଏହାପରେ କମ୍ପାନୀକୁ ଇମେଲ ଓ ହେଲ୍ପଲାଇନ ମାଧ୍ୟମରେ ଅବଗତ କରାଇଥିଲେ । ଏଥିରେ ସୁଫଳ ନମିଳିବାରୁ େଗୌରବ ଜିଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ସେ ମୋବାଇଲ ଫୋନ୍ ବାବଦରେ ୨୮,୩୯୮ ଟଙ୍କା, କ୍ଷତିପୂରଣ ବାବଦରେ ୧,୨୦,୦୦୦ ଟଙ୍କା, ମୋକଦ୍ଦମା ଖର୍ଚ୍ଚ ୨୦ ହଜାର ଓ ମାନସିକ ଯନ୍ତ୍ରଣାଜନିତ କଷ୍ଟର ଭରଣା ପାଇଁ ୧,୫୦,୦୦୦ ଟଙ୍କା ସମ୍ପୃକ୍ତ କମ୍ପାନୀ ଠାରୁ ପାଇବାକୁ ଦାବି କରିଥିଲେ । ଖାଉଟି ଅଦାଲତରେ ମାମଲାର ବିଚାର ହୋଇ ଅଦାଲତ କମ୍ପାନିକୁ ମୋବାଇଲ ସେଟ୍ ବାବଦରେ ୨୨,୩୯୮ ଟଙ୍କା, କ୍ଷତିପୂରଣ ବାବଦରେ ୫୦ ହଜାର ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ୨୦ ହଜାର ଟଙ୍କା ମିଶି ମୋଟ ୯୨,୩୯୮ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବି. କେ. ସିହ୍ନା ଓ ସସ୍ମିତା ସାହୁ ମାମଲା ପରିଚାଳନା କରିଥିଲେ ।