ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ କଳମା ଗ୍ରାମର କେତେକ ବ୍ୟକ୍ତିଙ୍କ ସହିତ ବାଲେଶ୍ୱର ଜିଲ୍ଲା ଚଷାଖଣ୍ଡ ଗ୍ରାମପଞ୍ଚାୟତ ଅଧୀନ ଜଙ୍ଖରାଇ ଗ୍ରାମର କେତେକ ବ୍ୟକ୍ତିଙ୍କ ମଧ୍ୟରେ ଶନିବାର ସନ୍ଧ୍ୟାରେ ସାମାନ୍ୟ ବଚସାକୁ ନେଇ ଗୋଷ୍ଠୀ ସଂଘର୍ଷ ରୂପ ନେଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀର ଜନୈକ ବ୍ୟକ୍ତି ସେକ୍ ଜିଲାନିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନିଆଯାଉଥିବା ବାଟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଦଙ୍ଗା ଆଶଙ୍କା କରି ଉଭୟ ଜିଲ୍ଲାର ପୁଲିସ ପ୍ରଶାସନ ତରଫରୁ ୧୪୪ଧାରା ଜାରି କରାଯାଇଥିବା ସୂଚନା ମିଳିଛି । ଘଟଣା ଅନୁଯାୟୀ ପଣସିଆ ଛକରେ ଏକ ଓଲ୍ଡିଂ ଦୋକାନ କରିଥିବା କଳମା ପଞ୍ଚାୟତ ଗୋବିନ୍ଦରାୟପୁର ଗ୍ରାମର ସେକ୍ ରେଫାକତ୍ ଖାଁ ଶନିବାର ସନ୍ଧ୍ୟାରେ ନିଜ ବନ୍ଧୁ ସେକ୍ ୱାସିମ୍ଙ୍କ ସହ ବୁଲେଟ୍ ଗାଡ଼ିରେ ଦୋକାନକୁ ଆସୁଥିଲେ । ପଛରେ ତାଙ୍କ ଓଲ୍ଡିଂ ସାମଗ୍ରୀ ଲୋଡ୍କରି ଏକ ଅଟୋ ଆସୁଥିଲା । କଳମା ପଶ୍ଚିମା ଠାକୁରାଣୀଙ୍କ ପାଖ ରାସ୍ତା ଉପରେ ଏକ ବଡ଼ ହମ୍ପ୍ସ ଥିବାରୁ ସେଠାରେ ଅଟୋ ଯିବାରେ ସମସ୍ୟା ହୋଇଥିଲା । ଏହାକୁ ନେଇ ସେକ୍ ରେଫାକତ୍ କିଛି ଆପତ୍ତିଜନକ ମନ୍ତବ୍ୟ ଦେବାରୁ ସେହି ସ୍ଥାନରେ ଠିଆ ହୋଇଥିବା କଳମା ଗ୍ରାମର ମନୋରଞ୍ଜନ ଜେନାଙ୍କ ପୁଅ ସରୋଜ ଓ ତାଙ୍କର ୭/୮ଜଣ ବନ୍ଧୁ ଏହାକୁ ବିରୋଧ କରିଥିଲେ । ପୂର୍ବରୁ ଏହି ଦୁଇଜଣଙ୍କ ଭିତରେ ଶତ୍ରୁତା ଥିବାରୁ ସାମାନ୍ୟ ବଚସା ସଂଘର୍ଷର ରୂପ ନେଇଥିଲା । ଏହି ସଂଘର୍ଷରେ ସେକ୍ ରେଫାକତ୍ ଓ ତାଙ୍କ ବନ୍ଧୁ ୱାସିମ୍ ଆହତ ହୋଇଥିଲେ । ଖବର ପାଇ ପାଖ ଛକରେ ଟେଲର୍ ଦୋକାନ କରିଥିବା ଜଙ୍ଖରାଇ ଗ୍ରାମର ସେକ୍ ଜିଲାନି(୪୩) ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ହେଲେ ସେ ମଧ୍ୟ ଏହି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେକ୍ ଜିଲାନିଙ୍କୁ ଏକ ନାଳ ଭିତରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ପରେ ପରେ ବାଲେଶ୍ୱରରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଉକ୍ତ ସଂଘର୍ଷରେ ଅନ୍ୟ ଦୁଇ ଆହତ ରେଫାକତ୍ ଓ ୱାସିମ୍ଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା । କଟକ ସ୍ଥାନାନ୍ତର ହେଉଥିବା ବାଟରେ ଗୁରୁତର ଆହତ ଜିଲାନିଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଘଟଣା ଉଗ୍ରରୂପ ନେଇଥିଲା । ଜିଲାନିଙ୍କ ମୃତ୍ୟୁ ଖବର ପାଇ ଗୋବିନ୍ଦରାୟପୁର, ଜଙ୍ଖରାଇ ଓ ଆଖପାଖ ଗ୍ରାମରୁ ଶତାଧିକ ମୁସଲିମ୍ ଯୁବକ ମାରଣାସ୍ତ୍ର ଧରି କଳମା ଛକରେ ପହଞ୍ଚିଥିଲେ । ସେପଟେ କଳମା ଓ ଆଖପାଖ ଗ୍ରାମରୁ ୩ଶହରୁ ଅଧିକ ଯୁବକ ମଧ୍ୟ ସେଠାରେ ଠୁଳ ହୋଇଥିଲେ । ଉଭୟ ପକ୍ଷଙ୍କ ସଂଘର୍ଷ ଭିତରେ କଳମା ଛକରେ ଥିବା ଦୁଇଟି ଦୋକାନଘର ମାଟିରେ ମିଶିଯାଇଛି । ପରିସ୍ଥିତି ଅଣାୟତ୍ତ ହେବା ଦେଖି ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ବେତନଟୀ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଦାଶ, ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ, ରାସଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ, ବଡ଼ସାହି ଥାନା ଓଆଇସି, ବାଲେଶ୍ୱର ସଦର ଥାନା ଆଇଆଇସି ଅଶୋକ ନାୟକ, ସଦର ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ଚାରି ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତିରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସ୍ପି ସୁଧାଂଶୁ ଖେଖର ମିଶ୍ର, ଅତିରିକ୍ତ ଏସ୍ପି ଗୋବିନ୍ଦ ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳଠାରୁ ୫କିମି ପରିଧି ଭିତରେ ବିଭିନ୍ନ ସମ୍ପ୍ରଦାୟର ଗାଁ ଥିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲାନିଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ରୀତିନୀତି ଅନୁସାରେ କବର ଦିଆଯାଇଥିଲା । ଉକ୍ତ ଗୋଷ୍ଠୀ ସଂଘର୍ଷକୁ ନେଇ ବୈଶିଙ୍ଗା ଥାନାରେ ମାମଲା ରୁଜୁ କରାଯିବା ସହ ୧୨ ଜଣଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି । ସେହି ଅଞ୍ଚଳଗୁଡ଼ିକରେ ୧୪୪ ଧାରା ବଳବତ୍ତର ରହିଛି । ଘଟଣାର ଅନୁଧ୍ୟାନ କରିବା ପାଇଁ ସାଇଣ୍ଟିଫିକ ଟିମ୍ କୁକୁର ସହିତ ଆସି ସରଜମିନ ତଦନ୍ତ କରିଛନ୍ତି । ମାଜିଷ୍ଟ୍ରେଟ ଭାବେ ବେତନଟୀ ବିଡିଓ ସଂଗ୍ରାମ କେଶରୀ ପରିଡା ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି ।