ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବଡ ଅଘଟଣ। ଗିଜର ବିସ୍ଫୋରଣ ଘଟି ଜଣେ ମୃତ। ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଘରେ ଗିଜର ବିସ୍ଫୋରଣ ହୋଇଥିଲା। ଗିଜର ବିସ୍ଫୋରଣ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସ୍ତ୍ରୀ ଆହତ ହୋଇଥିଲେ। ପୋଲିସ କହିଛି ଯେ ଘଟଣାଟି ଶନିବାର ସନ୍ଧ୍ୟା ୫ଟାରେ ହଜରତ ନିଜାମୁଦ୍ଦିନ ଅଞ୍ଚଳରେ ଘଟିଥିଲା। ଏଥିରେ କୁହାଯାଇଛି ଯେ ପୋଲିସ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା ଏବଂ ତୁରନ୍ତ ଏକ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ପୋଲିସ ଘରର ଦ୍ୱାର ଭିତରୁ ବନ୍ଦ ଥିବା ଦେଖି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା ଏବଂ ଅଗ୍ନିଶମ ବାହିନୀ ସହାୟତାରେ ନିଆଁ ଲିଭାଇବାରେ ସଫଳ ହୋଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ।










