26.1 C
Bhubaneswar
Saturday, October 19, 2024
Homeଖେଳଦିନିକିଆ ବିଶ୍ୱକପ୍ ୨୦୨୩; ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମ୍ୟାଚ୍‌!

ଦିନିକିଆ ବିଶ୍ୱକପ୍ ୨୦୨୩; ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମ୍ୟାଚ୍‌!

ନୂଆଦିଲ୍ଲୀ : ଆୟୋଜକ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ ଅକ୍ଟୋବର ୧୫ ତାରିଖରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅହମ୍ମଦାବାଦରେ ଭେଟିବ । ବୁଧବାର କ୍ରିକ୍‌ବଜ୍‌ର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ପୁରୁଷ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ୍ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରୁ ଆରମ୍ଭ ହେବ । ଫାଇନାଲ୍ ମ୍ୟାଚ୍ ମଧ୍ୟ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ନଭେମ୍ବର ୧୯ରେ ଖେଳାଯିବ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଆଧିକାରିକ ଭାବେ ଟୁର୍ଣ୍ଣାମେଣ୍ଟ୍‌ର କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ଚଳିତ ଆଇପିଏଲ୍ ଶେଷପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅନ୍ତିମ ମଞ୍ଜୁରୀ ପାଇବା ପରେ ଟୁର୍ଣ୍ଣାମେଣ୍ଟ୍‌ର ଆଧିକାରିକ କାର୍ଯ୍ୟସୂଚୀ ଘୋଷଣା କରିବ । ଭାରତ ଆୟୋଜକ ହୋଇଥିବାରୁ ଟୁର୍ଣ୍ଣାମେଣ୍ଟ୍‌ର ଭେନ୍ୟୁ ଓ ତାରିଖ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନେବ ବୋଲି ରିପୋର୍ଟରେ କୁହାଯାଇଛି । ଏସିଆ କପ୍‌କୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ବିଶ୍ୱକପ୍ ପାଇଁ ପାକିସ୍ତାନ ଭାରତ ଗସ୍ତରେ ଆସିବାକୁ ରାଜି ହୋଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ତେବେ ଅହମ୍ମଦାବାଦରେ ଭାରତ ବିପକ୍ଷ ବଡ଼ ମ୍ୟାଚ୍ ଖେଳିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ରାଜି ନଥିବା ଜଣାପଡ଼ିଛି ।

ଟୁର୍ଣ୍ଣାମେଣ୍ଟ୍‌ର ଆଧିକାରିକ କାର୍ଯ୍ୟସୂଚୀ ଘୋଷଣା ହୋଇନଥିବା ବେଳେ ସମ୍ଭାବିତ ଭେନ୍ୟୁ ତାଲିକା ଅନୁସାରେ ପାକିସ୍ତାନ ତା’ର ମ୍ୟାଚ୍‌ଗୁଡ଼ିକ ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବ । ଅହମ୍ମଦାବାଦ ଏବଂ ଦକ୍ଷିଣ ଭାରତର ତିନିଟି ଭେନ୍ୟୁ ବ୍ୟତୀତ କୋଲ୍‌କାତା, ଇନ୍ଦୋର, ଦିଲ୍ଲୀ, ଧର୍ମଶାଳା, ଗୁଆହାଟୀ, ରାଜକୋଟ, ରାଇପୁର ଏବଂ ମୁମ୍ବାଇ ଅନ୍ୟ ଭେନ୍ୟୁ ହୋଇପାରେ । ଏହି ସମ୍ଭାବିତ ତାଲିକାରୁ ମୋହାଲି ଏବଂ ନାଗପୁର ବାଦ୍ ପଡ଼ିଛନ୍ତି । ରିପୋର୍ଟ ଅନୁସାରେ ମୁମ୍ବାଇର ୱାଙ୍ଖେଡେର ଗୋଟିଏ ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଇପାରେ ।

ବିଶ୍ୱକପ୍‌ରେ ୧୦ଟି ଟିମ୍ ମଧ୍ୟରେ ୪୮ ମ୍ୟାଚ୍ ଆୟୋଜିତ ହେବ । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫ୍‌ଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶ ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ସାଉଥ୍ ଆଫ୍ରିକା ଅଷ୍ଟମ ଟିମ୍ ଭାବେ ସିଧା ପ୍ରବେଶ ପାଇଛି । ଅନ୍ୟ ଦୁଇଟି ସ୍ଥାନ ଜୁନ୍‌-ଜୁଲାଇରେ ଜିମ୍ବାୱେରେ ହେବାକୁ ଥିବା କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟ୍‌ରୁ ପୂରଣ ହେବ । ଏଥିରେ ଦୁଇଟି ପୂର୍ବତନ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ଆୟୋଜିତ ଜିମ୍ବାୱେ, ନେଦରଲାଣ୍ଡ୍‌ସ, ଆୟର୍ଲାଣ୍ଡ୍‌, ନେପାଳ, ଓମାନ୍‌, ସ୍କଟ୍‌ଲାଣ୍ଡ୍ ଏବଂ ୟୁଏଇ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking