29.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶ୫୦ ବର୍ଷରେ ଥରେ ଫେରିଆସେ ‘ଭୂତ’, ଏବେ ବି ଗାଁ ଲୋକଙ୍କ ମନରେ ରହିଛି ଭୟ…

୫୦ ବର୍ଷରେ ଥରେ ଫେରିଆସେ ‘ଭୂତ’, ଏବେ ବି ଗାଁ ଲୋକଙ୍କ ମନରେ ରହିଛି ଭୟ…

ନୂଆଦିଲ୍ଲୀ: ଲଣ୍ଡନରୁ କିଛି ଦୂରରେ ଅବସ୍ଥିତ ହ୍ୟାମରସ୍ମିଥ୍‌ । ନାମକ ଏକ ଛୋଟ ଗାଁ । ଯେଉଁ ସମୟର କଥା କୁହାଯାଉଛି ସେତେବେଳେ ଏହି ଗାଁକୁ ବିଦ୍ୟୁତ୍‌ ଆସିନଥିଲା । ରାତି ହେବା ପରେ ଭୌତିକ ପରିବେଶର ସମ୍ମୁଖୀନ ହେଉଥିଲେ ହ୍ୟାମରସ୍ମିଥର ବାସିନ୍ଦାମାନେ ।

୧୮୦୩ ମସିହା କଥା । ଗାଁରେ ହଠାତ୍‌ ଆରମ୍ଭ ହୋଇଗଲା ‘ଭୂତ’ ଉପଦ୍ରବ । ରାତି ହେଲା ମାତ୍ରେ କେହି ଏକୁଟିଆ ବାହାରିବାକୁ ସାହସ କଲେ ନାହିଁ । କିନ୍ତୁ କେତେଦିନ ଅବା ଆଉ ଗୃହବନ୍ଦୀ ହୋଇ ରହିବେ । ଗ୍ରାମବାସୀମାନେ ଧୀରେ ଧୀର ବାହାରକୁ ବାହାରିବା ଆରମ୍ଭ କଲେ। କିନ୍ତୁ କେହି ନା କେହି ଭୂତ ହାବୁଡ଼ରେ ପଡ଼ିଲେ । ଭୂତ ହାବୁଡ଼ରେ ପଡ଼ିଥିବା ଲୋକେ କହୁଥିଲେ ଆପାଦମସ୍ତକ ଧଳା ଚାଦରରେ ଶରୀର ଆବୃତ୍ତ ଥିଲା ସେହି ଭୌତିକ ଅବୟବର । ଆଉ କେତେଜଣ କହୁଥିଲେ ଭୂତ ପଶୁ ଚମଡ଼ା ପିନ୍ଧିଥିଲା, ଆଖି ଦୁଇଟି ନିଆଁଗୁଳା ଭଳି ଦେଖାଯାଉଥିଲା । ଗାଁରେ ଏହି ଖବର ପବନ ବେଗରେ ଖେଳାଇ ହୋଇଯାଇଥିଲା ଯେ ଜଣେ ଗ୍ରାମବାସୀଙ୍କ ଅପଘାତ ମୃତ୍ୟୁ ହୋଇଥିବାରୁ ତା’ର ଆତ୍ମା ଭୂତ ହୋଇ ଡରାଉଛି ।

ଗ୍ରାମବାସୀମାନେ ସେହି ଭୂତକୁ ଧରିବା ପାଇଁ ଅସ୍ତ୍ରଶସ୍ତ୍ର ନେଇ ପହରା ଦେବାକୁ ଲାଗିଲେ । କେହି କେହି କହୁଥିଲେ ଭୂତ କାଳେ ଏକୁଟିଆ ଲୋକ ପାଇ ମାଡ଼ି ବସୁଥିଲା । ଜଣେ ଗର୍ଭବତୀ ମହିଳା ଏତେମାତ୍ରାରେ ଭୟଭୀତ ହୋଇଯାଇଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରାତିରେ ପହରା ଦେଉଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଦିନେ ରାତିରେ ସେହି ଭୂତକୁ ଦେଖିବାକୁ ପାଇଲେ । ଦେଖିବା ମାତ୍ରେ ସେହି ଲୋକଟି ଭୂତକୁ ମାରିବା ପାଇଁ ତା’ ପଛରେ ଧାଇଁଲେ । କିନ୍ତୁ ଭୂତ ସେତେବେଳକୁ ନିଜର ବସ୍ତ୍ରଟିକୁ ଫିଙ୍ଗିଦେଇ କେଉଁଆଡେ ଅଦୃଶ୍ୟ ହୋଇଗଲା । ସେହି ବସ୍ତ୍ରଟିକୁ ଦେଖିବା ପରେ କାହାକୁ ଆଉ ବୁଝିବାକୁ ବାକି ନଥିଲା ଯେ ଭୂତ ନାଁରେ ଏସବୁ ଜଣେ ମଣିଷ ହିଁ କରୁଛି । ଆରମ୍ଭ ହୋଇଗଲା ଭୂତରୂପୀ ମଣିଷର ସନ୍ଧାନ । ଇତିମଧ୍ୟରେ ଭୂତ ଧରିବାରେ ଅନେକ ଦିନ ବିତିଯାଇଥିଲା । ତଥାପି ହ୍ୟାମରସ୍ମିଥ୍‌ର ବାସିନ୍ଦାମାନଙ୍କ ମନରୁ ଆତଙ୍କ ଦୂରେଇ ନଥିଲା ।

୧୮୦୪ ମସିହା । ଫ୍ରାନ୍ସିସ ସ୍ମିଥ୍‌ ନାମକ ହ୍ୟାମରସ୍ମିଥର ଜଣେ ବାସିନ୍ଦା ଦିନେ ରାତି ୧୧ଟା ବେଳକୁ ହଠାତ୍‌ ଦେଖିବାକୁ ପାଇଲେ ଏକ ଧଳା ଅବୟବ ଚାଲି ଚାଲି ଆସୁଛି । ହାତ ପାଖରେ ଥିବା ସଟ୍‌ଗନ ଲକ୍ଷ୍ୟ କରି ଭୂତକୁ ନିଜ ପରିଚୟ ଦେବାକୁ କହିଲେ ଫ୍ରାନ୍ସିସ । କିନ୍ତୁ ଧଳା ପୋଷାକ ପିନ୍ଧିଥିବା ସେହି ଅବୟବ କୌଣସି ଉତ୍ତର ନ ଦେବାରୁ ଗୁଳି ଚଳାଇଦେଲେ ଫ୍ରାନ୍ସିସ୍‌ । ପରେ ଜଣାପଡ଼ିଲା ଫ୍ରାନ୍ସିସ ଯାହାକୁ ଭୂତ ଭାବି ଗୁଳି କରିଥିଲେ ସେ ପ୍ରକୃତରେ ଥିଲେ ଜଣେ ସାଧାରଣ ଲୋକ । ନାଁ ଥିଲା ଟମାସ ମିଲଉଡ୍‌ । ପେସାରେ ସେ ଥିଲେ ରାଜମିସ୍ତ୍ରି । କାର୍ଯ୍ୟସୂତ୍ରରେ ସେ ହ୍ୟାମରସ୍ମିଥରୁ ବାହାରେ ରହୁଥିଲେ ।

ଏହା ବି ଜାଣିବାକୁ ମିଳିଥିଲା ଟମାସ ମିଲଉଡ ହ୍ୟାମରସ୍ମିଥରେ ରହୁଥିବା ତାଙ୍କ ବାପା, ମାଙ୍କୁ ଦେଖା କରିବା ପାଇଁ ସେଦିନ ରାତିରେ ଫେରୁଥିଲେ । ସେ ପିନ୍ଧିଥିବା ପୋଷାକ ଏବଂ ଜୋତା ସଂପୂର୍ଣ୍ଣ ଧଳା ଥିଲା । ଅନ୍ଧାର ରାତିରେ ତାଙ୍କର ଧଳା ପୋଷାକ ଦେଖି ତାଙ୍କୁ ଭୂତ ଭାବିଥିଲେ ଫ୍ରାନ୍ସିସ । ତେଣୁ ଗୁଳି ଚଳାଇ ଦେଇଥିଲେ । ବିନା ଦୋଷରେ ପ୍ରାଣ ହରାଇଥିଲେ ଟମାସ୍‌ ମିଲଉଡ୍‌ । ଭୂତ ଧରିବାକୁ ଯାଇ ଫ୍ରାନ୍ସିସ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗିଲେ ବି ଅସଲ ଭୂତର ଦୌରାତ୍ମ୍ୟ କମିନଥିଲା କି ତା’ର ସନ୍ଧାନ ବି ମିଳୁନଥିଲା । ଭୂତ ଭାବି ଟମାସ୍‌ ମିଲଉଡକୁ ଗୁଳି କରି ହତ୍ୟା କରାଯିବାର ମାମଲା ଯେତେବେଳେ ହ୍ୟାମରସ୍ମିଥରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା ଠିକ୍‌ ସେହି ସମୟରେ ଜନ୍‌ ଗ୍ରାହମ ନାମକ ଜଣେ ମୋଚି ସିଧା ଅଦାଲତରେ ହାଜର ହୋଇଥିଲା । ବିଚାରକଙ୍କୁ ଗ୍ରାହମ ଜଣାଇଥିଲା ତାର ଜଣେ ସହଯୋଗୀ ନିଜ ସନ୍ତାନମାନଙ୍କୁ ପ୍ରତିଦିନ ଭୂତ ଗଳ୍ପ ଶୁଣାଇ ଭୟ ଦେଖାଉଥିଲା । ସେହି ସହଯୋଗୀଙ୍କୁ ଭୟ ଦେଖାଇବା ପାଇଁ ଗ୍ରାହମ ହିଁ ଧଳା ପୋଷାକ ପିନ୍ଧି ଭୂତ ବେଶରେ ଘୂରି ବୁଲୁଥିଲେ ସାରା ହାମରସ୍ମିଥରେ । କିନ୍ତୁ ଅଦାଲତ ଗ୍ରାହମଙ୍କ କଥାକୁ ଧ୍ୟାନ ଦେଇନଥିଲେ । ଭୂତ ଧରାପଡ଼ିନଥିଲା ସତ । କିନ୍ତୁ ହ୍ୟାମରସ୍ମିଥରେ ଭୂତର ଦୌରାତ୍ମ୍ୟ ଟିକିଏ ବି କମିନଥିଲା । ବରଂ ହ୍ୟାମରସ୍ମିଥର ବାସିନ୍ଦାମାନେ ପୂର୍ବ ତୁଳନାରେ ଆହୁରି ଅଧିକ ଭୟଭୀତ ହୋଇଯାଇଥିଲେ ।

ଯଦିଓ ସମୟ କ୍ରମେ ପରିସ୍ଥିତିରେ ସୁଧାର ଆସିଥିଲା, ତଥାପି ଲୋକମାନେ କହୁଥିଲେ ୫୦ ବର୍ଷରେ ଥରେ ସେହି ଭୂତ ହାମରସ୍ମିଥକୁ ଫେରିଆସିବ । ଆଜି ବି ହ୍ୟାମରସ୍ମିଥ୍‌ ବାସିନ୍ଦାମାନେ ଏକଥା ବିଶ୍ୱାସ କରନ୍ତି ଯେ ପ୍ରତି ୫୦ ବର୍ଷରେ ଥରେ ଏହି ଗାଁକୁ ଭୂତ ଫେରିଆସେ ଓ ଲୋକଙ୍କୁ ଡରାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking