ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୪୩ ହଜାର ୬୯୨ଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ମୋଟ ୨୩ ହଜାର ୪୧୨ ଜଣ ସମ୍ମୁଖ ଯୋଦ୍ଧା ହୋଇଥିବା ବେଳେ ୬୦ବର୍ଷ ବୟସରୁ ଅଧିକ ୨୦ ହଜାର ୨୮୦ଜଣ ବୟସ୍କଙ୍କୁ ଆଜି ଟିକାକରଣ କରାଯାଇଛି । ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ପ୍ରିକସନ ଡୋଜ ଲାଗି ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗରେ ଆକ୍ରାନ୍ତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକ ସାମିଲ ହେବେ । ଆମ ରାଜ୍ୟରେ ଏମାନଙ୍କ ସଂଖ୍ୟା ହେଉଛି ୧୭ ଲକ୍ଷ ୫୨ ହଜାର ୮୩୮ ।
ଜାନୁଆରି ଶେଷ ସୁଦ୍ଧା ୫ ଲକ୍ଷ ୨୫ ହଜାର ୬୦୭ ଲୋକ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ । ବର୍ତ୍ତମାନ ରାଜ୍ୟର ୩୬୧୬ ସେସନ ସାଇଟରେ ଟିକାକରଣ ଚାଲିଛି । ଯେଉଁମାନେ ୨ୟ ଡୋଜ୍ ନେବାର ୯ ମାସ ବା ୩୯ ସପ୍ତାହ ହୋଇଯାଇଥିବ, ସେମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ ହେବେ । ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନଙ୍କ ପାଖକୁ ହିଁ କେବଳ ଏସ୍ଏମ୍ଏସ୍ ପଠାଯାଇଛି । ପ୍ରିକସନ ଡୋଜ ନେବା ପାଇଁ ନୂଆ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । କେବଳ ସ୍ଲଟ ବୁକିଂ କରିବାର ଆବଶ୍ୟକ ରହିଛି । ସ୍ଲଟ ବୁକିଂ ପାଇଁ ଉଭୟ ଅନ ଲାଇନ ଓ ଅଫ ଲାଇନ ବ୍ୟବସ୍ଥା ରହିଛି । ଯିଏ ଯେଉଁ ଟିକା ନେଇଥିଲେ ସେମାନେ ସେହି ଟିକା ନେବେ । ସବୁ ସେସନ ସାଇଟରେ ୨୦ ପ୍ରତିଶତ କ୍ଷମତା ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି ।