27.1 C
Bhubaneswar
Sunday, September 29, 2024
Homeଓଡିଶାପ୍ରତିଷ୍ଠା ଦିବସରେ ଶ୍ରୀକ୍ଷେତ୍ରରୁ ବିଜେଡି କରିବ ଶକ୍ତି ପ୍ରଦର୍ଶନ

ପ୍ରତିଷ୍ଠା ଦିବସରେ ଶ୍ରୀକ୍ଷେତ୍ରରୁ ବିଜେଡି କରିବ ଶକ୍ତି ପ୍ରଦର୍ଶନ

ଭୁବ‌େ‌ନଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପାଗ ଭିଡ଼ୁଥିବାବେଳେ ଶ୍ରୀକ୍ଷେତ୍ରରୁ ବିଜେଡି ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୨୬ ତାରିଖରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ। ଏହି ରୌପ୍ୟ ଜୟନ୍ତୀକୁ ଦଳ ଧୂମଧାମରେ ପାଳିବାକୁ ଯାଉଛି । ରାଜ୍ୟସ୍ତରୀୟ ସମାରୋହ ପୁରୀ ତାଳବଣିଆ ପଡ଼ିଆରେ ଆୟୋଜନ କରାଯାଉଛି । ଏଥିରେ ୫୦ ହଜାରରୁ ଲକ୍ଷେ କର୍ମୀ ଏବଂ ସାଧାରଣ ଜନତାଙ୍କୁ ଏକାଠି କରି ଦଳ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା ରଖିଥିବା ଜଣାପଡ଼ିଛି।

କେବଳ ଏତିକି ନୁହେଁ; ବିଭିନ୍ନ ନିର୍ବାଚନମଣ୍ଡଳୀରେ ୧୫ ଦିନ ଧରି ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ହେବ। ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ଦଳ ପକ୍ଷରୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରବିବାର ନବୀନ ନିବାସରେ ଦଳୀୟ ନେତାମାନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଉପରୋକ୍ତ କାର୍ଯ୍ୟକ୍ରମ ଲାଗି ବିଜେଡିର ବରିଷ୍ଠ ନେତାମାନେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆଣିଛନ୍ତି।

ସୂଚନା ଅନୁଯାୟୀ, ୨୬ ତାରିଖରେ ପୁରୀ ତାଳବଣିଆ ପଡ଼ିଆରେ ବିଶାଳ ସମାବେଶ ହେବ। ଏଥିରେ ସବୁ ବିଧାୟକ, ସାଂସଦ, ରାଜ୍ୟ କର୍ମକର୍ତ୍ତା‌, ଛାମୁଆ ସଙ୍ଗଠନ ନେତାଙ୍କ ସମେତ ପ୍ରତି ପଞ୍ଚାୟତ ଓ ବ୍ଲକର ବରିଷ୍ଠ ନେତା ଏବଂ କର୍ମକର୍ତ୍ତା ଯୋଗଦେବେ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ୨୭ ତାରିଖରୁ ୧୫ ଦିନ ଧରି ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ। ଜାନୁଆରୀ ୧୦ ସୁଦ୍ଧା ସବୁ ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ପାଳନ ହେବ। ଏହିଠାରୁ ବର୍ଷେବ୍ୟାପୀ ବିଭିନ୍ନ ଜୋନରେ ଦଳ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରଖିବ। ଏହାର ରୂପରେଖ ଦଳୀୟ ଫୋରମରେ ସମସ୍ତଙ୍କୁ ଜଣାଇ ଦିଆଯାଇଛି।

ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ଜଗନ୍ନାଥଙ୍କ ଧାମରେ ୨୫ତମ ପ୍ରତିଷ୍ଠା ଦିବସ ପାଳନ ଲାଗି ଦଳ ତରଫରୁ ଯୋଜନା କରାଯାଇଛି। ଏହାର ସମସ୍ତ ଚୂଡ଼ାନ୍ତ ରୂପରେଖ ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ ପ୍ରସ୍ତୁତ କରିବା ପରେ ଏହାକୁ ଦଳର ସଭାପତି ଅନୁମୋଦନ କରିଛନ୍ତି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃ ସମର୍ପିତ କରିବା ଲାଗି ଆମେ ପୁଣି ସଂକଳ୍ପ ନେବୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking