ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଏବେ ପଦବୀରୁ ୨ ବିଧାୟକଙ୍କ ଇସ୍ତଫା ଦେବା ଓ ପିସିସି ସଭାପତି ପରିବର୍ତ୍ତନ ଦାବି ନେଇ ବିବାଦ ଦେଖା ଦେଇଛି । ଏହା ଉପରେ ଆଲୋଚନା କରିବା ପାଇଁ ରାହୁଲ ଗାନ୍ଧୀ ଦଳର ୯ ବିଧାୟକମାନଙ୍କୁ ଦିଲ୍ଲୀ ଡାକିଛନ୍ତି । ଆସନ୍ତା ୫ ତାରିଖ ଦିନ ୯ ବିଧାୟକ ଦିଲ୍ଲୀରେ ପହଞ୍ଚି ସେମାନଙ୍କ ମତ ରଖିବେ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନୟକଙ୍କୁ ବଦଳାଇ ନୂଆ ସଭାପତି କରିବା ପାଇଁ ଅନେକ ଦିନ ହେଲା ଦାବି ହୋଇ ଆସୁଛି । ବିଧାୟକମାନଙ୍କ ମଧ୍ୟରୁ ଜଣକୁ ସଭାପତି କରିବା ପାଇଁ କେତେଜଣ ବିଧାୟକ ଦାବି କରୁଥିବା ବେଳେ ଅନ୍ୟ କେତେଜଣ ବାହାରୁ କରିବା ପାଇଁ ମତ ରଖୁଛନ୍ତି । ଏହା ଭିତରେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ବରିଷ୍ଠ ନେତା ନରସିଂହ ମିଶ୍ର ତାଙ୍କ ଇସ୍ତଫା ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଇବା ଓ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିବା ଏବଂ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେବା ଘଟଣାକୁ ଅଧିକ ଜଟିଳ କରିଛି । ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଧାୟକଦଳ ନେତା ପରିବର୍ତ୍ତନ କରିବା ନେଇ ଗଣମାଧ୍ୟମରେ ମତ ରଖିବା ପରେ ଶ୍ରୀ ମିଶ୍ର ଏ ପଦକ୍ଷେପ ନେଇଥିବା କୁହାଯାଉଛି । ଶ୍ରୀ ମିଶ୍ରଙ୍କ ଇସ୍ତଫା କଥା ଜଣାପଡ଼ିବା ପରେ ଶ୍ରୀ ବାହିନୀପତି ମଧ୍ୟ ଇସ୍ତଫା ଦେଇଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା ପ୍ରଭାରୀ ଚେଲ୍ଲାକୁମାରଙ୍କୁ ସେ ମଧ୍ୟ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଫଳରେ ସଭାପତି ସହ ବିଧାୟକ ଦଳ ନେତା ପଦକୁ ନେଇ ମଧ୍ୟ ଦଳରେ ବିବାଦ ଦେଖା ଦେଇଛି । ବରିଷ୍ଠ ନେତା ଭାବରେ ପ୍ରତିଷ୍ଠା ଓ ସମ୍ମାନ ଦୃଷ୍ଟିରୁ ଶ୍ରୀ ମିଶ୍ର ଅତ୍ୟନ୍ତ ଅସନ୍ତୁଷ୍ଟ ଅଛନ୍ତି; କାରଣ ଗଣମାଧ୍ୟମ ଆଗରେ ଶ୍ରୀ ସାଲୁଜା ଓ ଶ୍ରୀ ପାଣିଗ୍ରାହୀ ମତ ରଖିଲେ ଏହି ଘଟଣା ପରେ ଶ୍ରୀ ମିଶ୍ର ଆଉ ବିଧାୟକ ଦଳ ନେତା ପଦରେ ରହିବାକୁ ଚାହୁଁନଥିବା କୁହାଯାଇଛି । ଗଣମାଧ୍ୟମରେ ଏଭଳି ଖୋଲାମତ ଦେଇଥିବା ବେଳେ ଶ୍ରୀ ସାଲୁଜା ଓ ଶ୍ରୀ ପାଣିଗ୍ରାହୀଙ୍କୁ ଏଆଇସିସି କିମ୍ବା ପିସିସି ପକ୍ଷରୁ କୌଣସି କାରଣ ଦର୍ଶାଅ ନୋଟିସ୍ ଜାରି ହୋଇନାହିଁ । ଏଣୁ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶ୍ରୀ ମିଶ୍ର ତାଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।
କୁହାଯାଉଛି ପୂର୍ବରୁ ସେ ମେଲ୍ କରି ଦଳ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ମଧ୍ୟ ଇସ୍ତଫା ପତ୍ର ପଠାଇଥିଲେ । ଦଳରେ ଶୃଙ୍ଖଳା ରହୁନଥିବାରୁ ଯିଏ ଯାହା ପାରୁଛି ଗଣମାଧ୍ୟମକୁ ଆସି ମତ ଦେଉଛି । ଫଳରେ ସ୍ୱାଭିମାନୀ ଓ ସମ୍ମାନ ଥିବା ନେତା ପଦ ପଦବୀରେ ରହିବାକୁ ଚାହୁଁନାହାନ୍ତି ।