19.1 C
Bhubaneswar
Monday, November 25, 2024
Homeଓଡିଶାଓଡ଼ିଶାରେ ଓମିକ୍ରନ୍ ଭାରିଆଣ୍ଟର ବିଏଫ୍‌.୭ ଚିହ୍ନଟ: ସବୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ...

ଓଡ଼ିଶାରେ ଓମିକ୍ରନ୍ ଭାରିଆଣ୍ଟର ବିଏଫ୍‌.୭ ଚିହ୍ନଟ: ସବୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ଓଡ଼ିଶାରେ ପୁଣି କୋଭିଡ୍ ଓମିକ୍ରନ୍‌ର ନୂଆ ବା ସବ୍ ଭାରିଏଣ୍ଟ ଚିହ୍ନଟ ସମସ୍ତଙ୍କ ଲାଗି ଚିନ୍ତାର କାରଣ ସାଜିଛି । କୋଭିଡ୍‌ର ଓମିକ୍ରନ୍ ଭାରିଏଣ୍ଟ ବିଏଫ୍‌୍‌. ୭ ଓଡ଼ିଶାରେ ଚିହ୍ନଟ ହୋଇଛି । ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗୁଜରାଟରେ ୨ ଜଣ ଚିହ୍ନଟ ହୋଇଛନ୍ତି । ବିଏଫ୍‌.୭ ଭାରିଏଣ୍ଟ କିଛି ଦିନ ହେଲା ଚୀନ୍‌ରେ ଆତଙ୍କ ସୃଷ୍ଟି କରୁଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓମିକ୍ରନର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଓଡ଼ିଶାର ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲାର । ଜଣେ ମହିଳା । ଗତ ସେପ୍ଟେମ୍ବର ୩୦ତାରିଖରେ ୟୁଏସ୍‌ଏ ଯିବା ପାଇଁ ତାଙ୍କର ଆର୍‌ଟିପିସିଆର୍ ଟେଷ୍ଟିଂ କରାଯାଇଥିଲା । ସେତେବେଳ ସେ ଲକ୍ଷଣବିହୀନ ଥିଲେ । ଆର୍‌ଏମ୍‌ଆର୍‌ସିରେ ତାଙ୍କର ଜିନୋମ ସିକ୍ୟୁଏନସିଂ ହୋଇଥିଲା । ସେ ଏବଂ ତାଙ୍କ ପରିବାର ଗତ ଅକ୍ଟୋବରରୁ ୟୁଏସ୍‌ଏରେ ରହୁଛନ୍ତି । ଭାରତ ଛାଡ଼ିବା ପର୍ଯ୍ୟନ୍ତ ସେହି ମହିଳା ଓ ତାଙ୍କ ପରିବାର କାହାଠାରେ ବି କରୋନାର ଲକ୍ଷଣ ନ ଥିଲା । ତେବେ ଗତ ତିନିମାସ ଭିତରେ ଓଡ଼ିଶାରେ ଆଉ କୌଣସି ଆକ୍ରାନ୍ତଙ୍କଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି । ରାଜ୍ୟ ସ୍ୱାସ୍ଥ୍ୟସେବା ନିଦ୍ଦେର୍ଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଙ୍ଗ କରାଯିବ । ଆକ୍ରାନ୍ତଙ୍କ ଜିନୋମ ସିକ୍ୟୁଏନସିଂ ହେବ । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଜିନୋମ ସିକ୍ୟୁଏନସିଂ ଏବଂ ସଭିର୍ଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢ଼େ ତାପରେ ଅନ୍ୟ ପଦକ୍ଷେପ ନିଆଯିବ । ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଦି କାହା ପାଖରେ ଲକ୍ଷଣ ପ୍ରକାଶ ପାଇବ ସଙ୍ଗେ ସେଙ୍ଗେ ସେଠାରେ ତାଙ୍କର ଟେଷ୍ଟ କରିବାର ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ସେବା ନିଦ୍ଦେର୍ଶକ କହିଛନ୍ତି । ଅପରପେକ୍ଷ ବୁଧବାର ଠାରୁ ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ ହୋଇଛି ।

ତେବେ ଚୀନ ସମେତ ବିଶ୍ୱର କିଛି ରାଷ୍ଟ୍ରରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହେବା ଓ ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟର ଅଭିଯୋଗ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ଶ୍ରୀମତି ପଣ୍ଡିତ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିକୁ ନେଇ ସତର୍କ କରାଇବା ସହ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍ -୧୯ ପରିସ୍ଥିତି ପୁଣିଥରେ ଚୀନ, ଜାପାନ, ଆମେରିକା, ବ୍ରାଜିଲ ଓ କୋରିଆରେ କାୟା ବିସ୍ତାର କରିବାରେ ଲାଗିଛି ।

ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଚଳିତବର୍ଷ ଜୁନ୍ ମାସରେ ଜାରି ହୋଇଥିବା ସଂଶୋଧିତ ସର୍ବେକ୍ଷଣ ନୀତିକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହାବାଦ୍ ୫-ଟି ଯଥା ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, ଟ୍ରେସିଂ ଓ ଟୀକାକରଣ ସହିତ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ଓ ନୂଆ ଭାଇରସ ଚିହ୍ନଟ ହେଲେ ତୁରନ୍ତ ସେମାନଙ୍କର ଚିକିତ୍ସା କରିବା ଓ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁ ନମୂନା ପଜେଟିଭ ଚିହ୍ନଟ ହେବ ତାକୁ ନିକଟସ୍ଥ ଆଇଏନଏସଏସିଓଜି ଲାବ୍ରୋଟୋରୀ କିମ୍ବା ଭୁବନେଶ୍ୱରଠାରେ ଥିବା ଆରଏମଆରସି ଅବା ଆଇଏଲଏସକୁ ପଠାଇବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଭାରତ ସରକାରଙ୍କ ଗାଇଡଲାଇନ୍ ଆଧାରରେ ତୁରନ୍ତ କ୍ଲଷ୍ଟର କଣ୍ଟେନମେଣ୍ଟ ପଦକ୍ଷେପ ନେବାକୁ ମଧ୍ୟ ଶ୍ରୀମତୀ ପଣ୍ଡିତ କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତମାସରେ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ହଟାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking