ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର କହିଛନ୍ତି, ଓଡ଼ିଶାରେ ଆଗାମୀ ଦିନରେ ଓମିକ୍ରନ ସଂକ୍ରମଣ ମାମଲା ଆହୁରି ବଢ଼ିବ । ରାଜ୍ୟର ସବୁ ଜିଲ୍ଲାରେ ଏବେ ଓମିକ୍ରନ ସଂକ୍ରମଣ ଦେଖାଦେଲାଣି । ତେଣୁ ଓମିକ୍ରନ ଚିହ୍ନଟ ପାଇଁ ଆଇସିଏମଆର ପକ୍ଷରୁ ନୂଆ କିଟ୍ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବାବେଳେ ଏହି କିଟ୍ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏବେ ସୁଦ୍ଧା ଓଡ଼ିଶାରେ ସ୍ଥିତି ସଙ୍ଗୀନ ହୋଇନି । ସଂକ୍ରମଣ ବଢ଼ିବାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟିକାକରଣ, ସର୍ଭେଲାନ୍ସ ମଧ୍ୟ ଜାରି ରହିଛି ।
ଏବେ ରାଜ୍ୟରେ ଆଇସିୟୁ ଲୋଡ୍ କମ୍ ରହିଛି । ସରକାର ମଧ୍ୟ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ଓମିକ୍ରନ ସଂକ୍ରମିତଙ୍କ ପାଇଁ ଚିକିତ୍ସା ପଦ୍ଧତି ପୂର୍ବଭଳି ସମାନ । ଅନ୍ୟପକ୍ଷରେ ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ଜାନୁୟାରୀ ୧୦ତାରିଖରୁ ବୁଷ୍ଟର ଡୋଜ୍ ଦିଆଯିବ । ଯିଏ ଅତୀତରେ ଯେଉଁ ଟିକା ନେଇଛନ୍ତି ସେମାନଙ୍କୁ ସେହି ଟିକା ପ୍ରଦାନ କରାଯିବ ।
ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ ଟିକାକରଣ ଲାଗି ପଦକ୍ଷେପ ନେଉଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୨୭ ଲକ୍ଷ ଲୋକେ ପ୍ରଥମ ଡୋଜ ଟିକା ନେଇନାହାନ୍ତି । ସେହିପରି ୨୬ ଲକ୍ଷ ଲୋକେ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ସେମାନଙ୍କୁ ତୁରନ୍ତ ଉଭୟ ଡୋଜ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଆଜିସୁଦ୍ଧା ମୋଟ ୨ ଲକ୍ଷ ୬୪ ହଜାର କିଶୋରଙ୍କ ଟିକାକରଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।