27.1 C
Bhubaneswar
Wednesday, February 4, 2026
Homeଓଡିଶାଅଙ୍ଗନୱାଡି ଓ ବିଦ୍ୟାଳୟଗୁଡିକରେ ଦିଆଯିବ ଓମ୍ଫେଡ୍ ଗୁଣ୍ଡ ଦୁଗ୍ଧ

ଅଙ୍ଗନୱାଡି ଓ ବିଦ୍ୟାଳୟଗୁଡିକରେ ଦିଆଯିବ ଓମ୍ଫେଡ୍ ଗୁଣ୍ଡ ଦୁଗ୍ଧ

ଭୁବନେଶ୍ୱର: ଆଜି ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟିଡେଟ୍ (ଓମ୍ଫେଡ୍‌)ର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓମ୍‌ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଜେନେରାଲ ମ୍ୟାନେଜର (ଡାଏରୀ ଅପରେସନ) ସୌମେନ୍ଦ୍ର ଭୌମିକ, ଜେନେରାଲ ମ୍ୟାନେଜର (ଅର୍ଥ) ସୁରେଶ ଚନ୍ଦ୍ର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ ବୋର୍ଡର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ବୋର୍ଡର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ଓମ୍‌ଫେଡ୍‌କୁ କିପରି ଆଗେଇ ନେବା ସହ ଉତ୍ତମ ଗୁଣବତ୍ତା ବିଶିଷ୍ଟ ସ୍ୱାଦିଷ୍ଠ ଓ ସ୍ୱାସ୍ଥ୍ୟକର ଉତ୍ପାଦ ମାର୍କେଟକୁ ଯାଇପାରିବ ସେ ସଂପର୍କରେ ବୋର୍ଡର ସଦସ୍ୟ ସଦସ୍ୟାମାନେ ନିଜ ନିଜର ବହୁ ମୂଲ୍ୟ ମତାମତ ଦେବାକୁ ଅନୁରୋଧ କରିଥିଲେ। ଦୁଗ୍ଧ ସଂଗ୍ରହ ସହ ଉତ୍ପାଦ ବୃଦ୍ଧି କରିବା ଏବଂ ଓମ୍ଫେଡ ଉତ୍ପାଦନଗୁଡିକ କପରି ଲୋକଙ୍କ ପାଖରେ ପହଞ୍ଚି ପାରିବ, ସେ ସଂପର୍କରେ ମଧ୍ୟ ପରିଚାଳନା ନିର୍ଦେଶକ ଆଲୋକପାତ କରିଥିଲେ।

ଓମ୍‌ଫେଡ୍‌ର ଉତ୍ପାଦନ ବୃଦ୍ଧି କରିବା ସହ ଏହାର କଳେବରକୁ ବୃଦ୍ଧି କରିବା ପାଇଁ କଣ କଣ ପଦକ୍ଷେପ ନିଆଯିବା ଦରକାର ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଦୁଗ୍ଧ ସଂଗ୍ରହ ଓ ନୂତନ ଉତ୍ପାଦ ବୃଦ୍ଧି କରିବା ନେଇ ବୋର୍ଡର ସଦସ୍ୟ ସଦସ୍ୟାମାନେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ । ମୁଖ୍ୟତଃ ଗ୍ରାମାଞ୍ଚଳରେ କ୍ଷୀରଧାରା କେନ୍ଦ୍ରମାନ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ ଜଣାଇବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା। ଓମ୍‌ଫେଡ୍ ଘିଅ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବାରୁ ଏହାକୁ ସମସ୍ତେ ସ୍ୱାଗତ ଜଣାଇଥିଲେ। ଆଗାମୀ ଦିନରେ ରାଜ୍ୟର ସମସ୍ତ ବଡ ବଡ ମନ୍ଦିରରେ କିପରି ଓମ୍‌ଫେଡ୍ ଘିଅ ଲାଗି ହୋଇପାରିବ, ସେ ସଂପର୍କରେ ସରକାରଙ୍କ ସହ ଆଲୋଚନା କରାଯାଇଥିବା ସଂପର୍କରେ ମଧ୍ୟ ପରିଚାଳନା ନିର୍ଦେଶକ ପରିଷଦକୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାମଧେନୁ ଯୋଜନାକୁ ଗ୍ରାମାଞ୍ଚଳକୁ ବ୍ୟାପ୍ତ କରିବା ପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ରାଜ୍ୟ ସରକାର ୬୫.୪୯ କୋଟି ଟଙ୍କା ମଂଜୁର କରିଥିବାରୁ ରାଜ୍ୟ ସରକାରଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟକୁ ଓମ୍‌ଫେଡ୍ ଗୁଣ୍ଡ ଦୁଗ୍ଧ ଯୋଗାଇ ଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏ ସଂପର୍କରେ ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବାକୁ ବୈଠକରେ ସ୍ଥିର ହୋଇଛି। ସେହି ପରି ଷ୍ଟେଟ ସେଣ୍ଟ୍ରାଲ ଲାବ୍ରୋଟାରୀ ମଧ୍ୟ ଅରିଲୋଠାରେ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦୁଗ୍ଧ କାରଖାନାଠାରେ ପାଇପ ଦ୍ୱାରା ପ୍ରାକୃତିକ ଗ୍ୟାସ୍ ଯୋଗାଣ, ଅରିଲୋଠାରେ ଏକ ପାର୍ଲୋର ଖୋଲାଯିବାକୁ ଏହି ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଛି। ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପରିଚାଳନା ପରିଷଦର ସଂପାଦକ ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking