ନୂଆଦିଲ୍ଲୀ: ୱାର୍ୱିକ୍ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ନକ୍ଷତ୍ରବିଜ୍ଞାନୀମାନଙ୍କର ଏକ ଟିମ୍ ଆମ ନକ୍ଷତ୍ରପୁଞ୍ଜ ମିଲ୍କି ୱେରେ ସର୍ବପ୍ରାଚୀନ ନକ୍ଷତ୍ର ଆବିଷ୍କାର କରିଥିବା ଦାବି କରିଛନ୍ତି । ଗ୍ରହ ପରିକ୍ରମାରୁ ଏହା ଆବର୍ଜନା ଏକତ୍ର କରୁଛି । ବୈଜ୍ଞାନିକମାନେ ଏହାକୁ ଆମ ମିଲ୍କି ୱେରେ ଏପର୍ଯ୍ୟନ୍ତ ଆବିଷ୍କୃତ ସର୍ବପ୍ରାଚୀନ ପଥୁରିଆ ଓ ବରଫାବୃତ୍ତ ଗ୍ରହମଣ୍ଡଳ ବୋଲି କହିଛନ୍ତି । ଏହି ନିଷ୍କ୍ରିୟ ଧଳା କ୍ଷୁଦ୍ର ନକ୍ଷତ୍ର ପୃଥିବୀଠାରୁ ୯୦ ଆଲୋକ ବର୍ଷ ଦୂରରେ ଚିହ୍ନଟ ହୋଇଛି । ଏହାର ଘୂର୍ଣ୍ଣାୟମାନ ଗ୍ରହ ମଣ୍ଡଳର ଅବଶେଷ ୧୦ ନିୟୁତ ବର୍ଷରୁ ଅଧିକ ପୁରୁଣା ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ରୟାଲ୍ ଆଷ୍ଟ୍ରୋନୋମିକାଲ୍ ସୋସାଇଟିରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଆମ ସୂର୍ଯ୍ୟ ଭଳି ଅଧିକାଂଶ ନକ୍ଷତ୍ର ଧୀରେ ଧୀରେ ଧଳା କ୍ଷୁଦ୍ର ନକ୍ଷତ୍ରରେ ରୂପାନ୍ତରିତ ହେବେ । ଧଳା କ୍ଷୁଦ୍ର ନକ୍ଷତ୍ର ହେଉଛି ସେହି ନକ୍ଷତ୍ର, ଯାହା ନିଜର ସମସ୍ତ ଶକ୍ତି ବା ଇନ୍ଧନ ଶେଷ କରିଦେଇଛି, ନିଜର ବାହ୍ୟ ପରସ୍ତଗୁଡ଼ିକୁ ହରାଇ ଦେଇଛି । ଏବେ ଏହା ସଙ୍କୁଚନ ଓ ଶୀତଳନ ପ୍ରକ୍ରିୟା ଦେଇ ଗତିକରୁଛି ।
ଏହି ପ୍ରକ୍ରିୟାରେ କକ୍ଷପଥରେ ଥିବା ଯେକୌଣସି ଗ୍ରହ ବାଧାପ୍ରାପ୍ତ ହେବ, କିଛି ପରିସ୍ଥିତିରେ ଧ୍ୱଂସ ମଧ୍ୟ ହୋଇଯିବ । ସେମାନଙ୍କର ଧ୍ୱଂସାବଶେଷ ଧଳା କ୍ଷୁଦ୍ର ନକ୍ଷତ୍ରର ପୃଷ୍ଠରେ ଜମା ହେବ । ଅଧ୍ୟୟନ ପାଇଁ ନକ୍ଷତ୍ରବିଜ୍ଞାନୀମାନେ ଦୁଇଟି ଅସାଧାରଣ ଧଳା କ୍ଷୁଦ୍ର ନକ୍ଷତ୍ରକୁ ମଡେଲ ଭାବେ ନେଇଥିଲେ । ଏ ଦୁଇଟି ୟୁରୋପୀୟ ମହାକାଶ ଏଜେନ୍ସିର ଜିଏଆଇଏ ସ୍ପେସ୍ ଅବ୍ଜର୍ଭେଟୋରୀ ଦ୍ୱାରା ଚିହ୍ନଟ ହୋଇଥିଲା । ଗୋଟିଏ ଅସାଧାରଣ ରୂପେ ନୀଳ ଓ ଅନ୍ୟଟି ଲାଲ୍ ଥିଲା । ଉଭୟ ନକ୍ଷତ୍ରର ଅଧିକ ବିଶ୍ଳେଷଣ କରାଯାଇଛି ।
ଅଧ୍ୟୟନର ମୁଖ୍ୟ ଲେଖକ ଆବିଗେଲ ଏଲ୍ମ୍ସ କହିଛନ୍ତି, ଆମେ ମିଲ୍କି ୱେରେ ସର୍ବପ୍ରାଚୀନ ନକ୍ଷତ୍ରର ଅବଶେଷ ପାଇଛୁ, ଯାହା ଦିନେ ପୃଥିବୀ ଭଳି ଗ୍ରହ ଦ୍ୱାରା ପ୍ରଦୂଷିତ ହୋଇଛି । ୧୦ ନିୟୁତ ବର୍ଷ ପୂର୍ବେ ଏହା ହୋଇଥିଲା । ସେହି ଗ୍ରହଗୁଡ଼ିକ ପୃଥିବୀର ଉତ୍ପତ୍ତି ପୂର୍ବରୁ ନିଷ୍କ୍ରିୟ ହୋଇଯାଇଥିଲା ।ଏହି ଅଧ୍ୟୟନ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଇତିହାସରେ ଗ୍ରହାଣୁ ସୃଷ୍ଟି ଓ ବିକାଶ, ବରଫାଛନ୍ନ ଚନ୍ଦ୍ର ଏବଂ ପୃଥିବୀ ଭଳି ପଥୁରିଆ ଗ୍ରହ ଉପରେ ଆଲୋକପାତ କରୁଛି ।