ବ୍ରହ୍ମପୁର : ସାବିତ୍ରୀ ଅମାବାସ୍ୟାରେ ଅଘଟଣ । ଜ୍ୱାଇଁର ଛୁରାମାଡରେ ଶାଶୂ ଓ ଶ୍ୱଶୁର ଗୁରୁତର । ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ କଳିଯୁଗର ଜଣେ ସତ୍ୟବାନଙ୍କ ଏପରି କାଣ୍ଡ ଖଲ୍ଲିକୋଟ ଥାନା ଭେଜିପୁଟ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଭେଜିପୁଟ ଗାଁର ପଙ୍କଜ ସାହୁଙ୍କ ଝିଅ ନମିତା ପ୍ରାୟ ୧୧ ମାସ ତଳେ କୁନା ପାଳଙ୍କୁ ବିବାହ କରିଥିଲେ । ଏବେ ନମିତା ଗର୍ଭବତୀ ମଧ୍ୟ ରହିଛନ୍ତି । ହେଲେ କିଛି ମାସ ତଳେ ନମିତାଙ୍କ ସମ୍ପର୍କ ଆଉ ଜଣେ ଯୁବକଙ୍କ ସହ ରହିଥିବା କୁନା ସନ୍ଦେହ କରିବା ଆରମ୍ଭ କରିଥିଲେ । ଏହି ଘଟଣାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା ।
ତେବେ ଆଜି ହଠାତ କୁନା ରାଗି ଯାଇ ନମିତାଙ୍କୁ ଛୁରୀରେ ଆକ୍ରମଣ କରିବା ବେଳେ ଶାଶୁ ଓ ଶ୍ୱଶୁର ଅଟକାଇ ଥିଲେ । ହେଲେ କୁନା କିଛି ନ ଶୁଣି ସେମାନଙ୍କୁ ଛୁରା ମାଡ଼ କରିଥିଲେ । ଏଥିରେ ଉଭୟ ଗୁରୁତର ହୋଇଛନ୍ତି । ଏହି ଆକ୍ରମଣ ଖବର ପଡ଼ୋଶୀମାନେ ଜାଣିବା ପରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁନା ପାଳଙ୍କୁ କାବୁ କରିଥିଲେ । ତାଙ୍କୁ ଗାଁ ଲୋକମାନେ ପ୍ରବଳ ମାଡ଼ ପରେ ପୁଲିସ୍କୁ ହସ୍ତାନ୍ତର କରିଛନ୍ତି । ସେପଟ ଗୁରୁତର ଶାଶୁ ଶ୍ୱଶୁରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । କୁନା ଓ ତାଙ୍କ ସହିତ ଜଣେ ଯୁବକ ସେଠାରେ ଉପସ୍ଥିତ ଥିଲେ । ପୁଲିସ୍? ଉଭୟଙ୍କୁ ଥାନାକୁ ଆଣି ଅଟକ ରଖିଛି । ଏଥିସହ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀକୁ ଜବତ କରାଯାଇଛି । ଏହି ଘଟଣାକୁ ନେଇ ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି ।