ଚେନ୍ନାଇ: ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଉପରେ ମରଣାନ୍ତକ ଆକ୍ରମଣ । ଲୋକାଲ ଟ୍ରେନରେ ରିଲ୍ସକୁ ବିରୋଧ କରିବା ପରେ ଆକ୍ରମଣର ଶିକାର ହୋଇଥିଲେ ଓଡ଼ିଆ ଶ୍ରମିକ ସୂରଜ(୩୪) । ୪ ଜଣ ନାବାଳକ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ତାମିଲନାଡୁରେ କେହି ସୁରକ୍ଷିତ ନୁହେଁ କହି ଷ୍ଟାଲିନ ସରକାରଙ୍କୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି । ଅନ୍ୟପଟେ ସମାଲୋଚନାର ଶିକାର ହେବା ପରେ ବାହାର ରାଜ୍ୟର ଲୋକଙ୍କ ପାଇଁ ତାମିଲନାଡୁ ସୁରକ୍ଷିତ କହି ବିବୃତି ଜାରି କରିଛନ୍ତି ତାମିଲନାଡୁ ସରକାର ।
ଗତ ୨୭ ଡିସେମ୍ବରରେ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ତିରୁଟ୍ଟାନି ରେଳଷ୍ଟେସନ ନିକଟରେ ଏହି ଘଟଣାଟି ଘଟିଥିଲା । ଲୋକାଲ ଟ୍ରେନରେ ରିଲ୍ସ କରିବାକୁ ନେଇ ବିରୋଧ କରିଥିଲେ ସୂରଜ । ଏହାକୁ ନେଇ ଉତିକ୍ଷିପ୍ତ ହୋଇପଡିଥିଲେ ୪ ନାବାଳକ। ସେମାନେ ସୂରଜଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଡିସେମ୍ବର ୨୮ରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଏହାପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବାଳସୁଧାର ଗୃହକୁ ପଠାଇ ଦେଇଥିଲା । ଜଣଙ୍କୁ ବେଲ୍ ମିଳିବା ପରେ ପରିବାର ସହ ପଠାଇଥିଲା ପୋଲିସ । ସେପଟେ ପୀଡିତଙ୍କ ଅଭିଯୋଗ ଆଧାରରେ ତିରୁଟ୍ଟାନି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ତେବେ ଏନେଇ ପୋଲିସ କହିଛି, ଖବର ପାଇ ଆମେ ସୂରଜଙ୍କୁ ଉଦ୍ଧାର କରିଥିଲୁ । ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତିରୁଟ୍ଟାନି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା ।
ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୁରନ୍ତ ସଂଜ୍ଞାନ ନେବା ସହ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଜଣେ ନିରୀହ ଓଡ଼ିଆ ପୁଅ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ।
ଓଡ଼ିଶା ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ…
— CMO Odisha (@CMO_Odisha) December 30, 2025
ପରେ ଥିରୁଭଲ୍ଲୁର ସରକାରୀ ମେଡିକାଲକୁ ରେଫର୍ କରାଯାଇଥିଲା । ପ୍ରଥମେ ସୂରଜ ମହାରାଷ୍ଟ୍ରର କୋହ୍ଲାପୁରର ବାସିନ୍ଦା ବୋଲି ଚିହ୍ନଟ କରିଥିଲା ପୋଲିସ । ପରେ ସେ ଓଡ଼ିଶା ବାସିନ୍ଦା ହୋଇଥିବା ଜଣାପଡିଥିଲା । ସେପଟେ ଏହି ଆକ୍ରମଣ ଭିଡିଓକୁ ସୋସିଆଲ ମିଡିଆରେ ସେୟାର ନକରିବାକୁ ଅପିଲ୍ କରିଛି ତାମିଲନାଡୁ ସରକାର । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ସେୟାର ନକରିବାକୁ ଅପିଲ୍ କରାଯାଇଛି । ତାମିଲନାଡୁରେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଯୁବକଙ୍କ ଉପରେ ଏପରି ବର୍ବରୋଚିତ ଆକ୍ରମଣ ନିନ୍ଦନୀୟ । ଓଡ଼ିଶା ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ତାମିଲନାଡୁ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ପୀଡ଼ିତଙ୍କୁ ସମସ୍ତ ପ୍ରକାର ଉତ୍ତମ ଚିକିତ୍ସା ଓ ସହାୟତା ଯୋଗାଇ ଦେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ହି ଘଟଣାକୁ ନେଇ ତାମିଲନାଡୁ ସରକାରଙ୍କ ଉପରେ ବର୍ଷିଛି ଓଡ଼ିଶା ବିଜେପି ।










