37.1 C
Bhubaneswar
Saturday, April 4, 2026
Homeଓଡିଶାମାଛ ଉତ୍ପାଦନରେ ଓଡ଼ିଶା ସର୍ବଭାରତୀୟସ୍ତରରେ ଚତୁର୍ଥ

ମାଛ ଉତ୍ପାଦନରେ ଓଡ଼ିଶା ସର୍ବଭାରତୀୟସ୍ତରରେ ଚତୁର୍ଥ

ଭୁବନେଶ୍ୱର: ୨୦୨୩-୨୪ ବର୍ଷରେ ୧୧.୩୩ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରି ଓଡ଼ିଶା ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ସେହିପରି ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୨ଗୁଣ ବୃଦ୍ଧି ପାଇବା ସହ ୪୫୪୬ କୋଟି ଟଙ୍କାର ବୈଦିଶିକ ମୁଦ୍ରା ଅର୍ଜନ ହୋଇପାରିଛି । ସେହି ସମୟ ମଧ୍ୟରେ ମାଛ ଜାଆଁଳ ଉତ୍ପାଦନ ଦଶଗୁଣ ବୃଦ୍ଧି ପାଇଛି ଓ ୨୦୨୩-୨୪ରେ ୩୧୦ କୋଟି ମାଛ ଜାଆଁଳ ଉତ୍ପାଦିତ ହୋଇଛି ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ସ୍ଥାନୀୟ ଇନ୍‌ଷ୍ଟିଚୁସନ୍ ଅଫ୍ ଇଞ୍ଜିନିୟର୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହା କହିଛନ୍ତି।
ଏହାଛଡ଼ା ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ମାଧ୍ୟମରେ ଓଡ଼ିଶାକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରାଯାଇପାରିବ। ମତ୍ସ୍ୟଚାଷୀଙ୍କ ରୋଜଗାର ବୃଦ୍ଧ, ଜୀବିକାରେ ଉନ୍ନତି, ଲାଭଦାୟକ ନିଯୁକ୍ତି ସୃଷ୍ଟି, ପୁଷ୍ଟି ସୁରକ୍ଷା ଓ ରପ୍ତାନି ବୃଦ୍ଧିରେ ମତ୍ସ୍ୟ ଓ ଜଳକୃଷିର ପ୍ରମୁଖ ଭୂମିକା ରହିଥିବାବେଳେ ରାଜ୍ୟ ସରକାର ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଚଳିତ ଆର୍ôଥକ ବର୍ଷରୁ ଆଗାମୀ ୨୦୨୮-୨୯ ବର୍ଷ ପାଇଁ ୨୨୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ୧୭ଟି ଉପଯୋଜନାବିଶିଷ୍ଟ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ରାଜ୍ୟରେ ମତ୍ସ୍ୟକ୍ଷେତ୍ର ଅଭିବୃଦ୍ଧି ଦିଗରେ ସହାୟକ ହେବ। ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ରୋଜଗାରକୁ ବହୁଗୁଣିତ କରିବା ସହିତ ଜୀବିକାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଓ ନାବାର୍ଡର ଜିଏମ୍ ସଂଜୟ କୁମାର ତାଲୁକଦାର ମଧ୍ୟ ବକ୍ତବ୍ୟ ରଖିଥିଲେ। ପ୍ରାଣୀପାଳନ, ପ୍ରାଣୀଚିକିତ୍ସା ଓ ମତ୍ସ୍ୟ ନିର୍ଦ୍ଦେଶକ ରାମାଶିଷ ହାଜରା ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ (ବୈଷୟିକ) ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking