ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଓ ଲୋକନୃତ୍ୟ ଦେଖିବା ପାଇଁ ଜମୁଛି ଦର୍ଶକଙ୍କ ଭିଡ଼
“ଆହେ ନୀଳ ଶଇଳ” ଓଡ଼ିଶୀ ନୃତ୍ୟରେ ପ୍ରଦର୍ଶିତ ହେଲା ଜଗନ୍ନାଥ ସଂସ୍କୃତି
ଡ଼ାଲଖାଇ ଓ ରସରକେଲିର ତାଳେତାଳେ ଝୁମିଲେ ଦର୍ଶକ
ପଶୁମୁଖା ନୃତ୍ୟରେ ହରି-ଅର୍ଜୁନ (ନବଗୁଞ୍ଜର) ଦର୍ଶନ, ମହିଷାସୁର ମର୍ଦ୍ଦିନୀ ମା’ ଦୁର୍ଗାଙ୍କ ବନ୍ଦନାରେ ଦର୍ଶକ ହେଲେ ବିମୋହିତ
ସାଂସ୍କୃତିକ ମଞ୍ଚରେ ଜୀବନ୍ତ କଣ୍ଡେଇ ନାଚ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ
ଓଡ଼ିଶାର ନୃତ୍ୟ ପରମ୍ପରା କାଳଜୟୀ, ପ୍ରତ୍ୟେକଟି ନୃତ୍ୟରେ ପ୍ରତିବିମ୍ବିତ ହୁଏ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଅସ୍ମିତା : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଅନ୍ତଃରାଷ୍ଟ୍ରୀୟ ଗୀତା ମହୋତ୍ସବ ମଞ୍ଚରେ ଓଡ଼ିଶାର ନୃତ୍ୟକଳା ସମସ୍ତଙ୍କୁ ବିମୋହିତ କରିଛି, ଦେଶ-ବିଦେଶରୁ ଆସୁଥିବା ଦର୍ଶକମାନେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି : ମନ୍ତ୍ରୀ ଶ୍ରୀ ସୂରଜ
ଭୁବନେଶ୍ୱର : “ଓଡ଼ିଶାର ନୃତ୍ୟ ପରମ୍ପରା କାଳଜୟୀ। ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ଓଡ଼ିଶାର ବିଭିନ୍ନ ଲୋକନୃତ୍ୟରେ ପ୍ରତିବିମ୍ବିତ ହୁଏ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଅସ୍ମିତା। ହରିୟାଣାର କୁରୁକ୍ଷେତ୍ରରେ ଆୟୋଜିତ ହେଉଥିବା ୯ମ ଅନ୍ତଃରାଷ୍ଟ୍ରୀୟ ଗୀତା ମହୋତ୍ସବରେ ନିର୍ମିତ ଓଡ଼ିଶା ମଣ୍ଡପର ସାଂସ୍କୃତିକ ମଞ୍ଚରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଛି। ଲୋକନୃତ୍ୟ ଓ ବାଜାର ତାଳେ ତାଳେ ନାଚୁଛନ୍ତି ଦର୍ଶକ। ନୃତ୍ୟକଳାର ପ୍ରଦର୍ଶନ ମାଧ୍ୟମରେ ଦେଶ-ବିଦେଶରୁ ଆସିଥିବା ଦର୍ଶକମାନେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି”, ବୋଲି ନିଜର ମନ୍ତବ୍ୟ ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ। ୯ମ ଅନ୍ତଃରାଷ୍ଟ୍ରୀୟ ଗୀତା ମହୋତ୍ସବରେ ଚଳିତ ବର୍ଷ ଓଡ଼ିଶା ଷ୍ଟେଟ ପାଟର୍ନର ଭାବେ ଯୋଗ ଦେଇଥିବାବେଳେ ତାଞ୍ଜାନିଆ ପାଟର୍ନର ଦେଶ ଭାବେ ଯୋଗ ଦେଇଛି। ମହୋତ୍ସବରେ ନିର୍ମିତ ହୋଇଥିବା ଓଡ଼ିଶା ମଣ୍ଡପରେ ଓଡ଼ିଶାର କଳା ଓ ସଂସ୍କୃତି ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଥିବା ବେଳେ ସମସ୍ତଙ୍କପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମଞ୍ଚରେ ମଞ୍ଚାୟିତ ହେଉଥବା ସାଂସ୍କୃତିକ କାର୍ଯ୍ୟକ୍ରମ। ସାଂସ୍କୃତିକ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ସହ ଲୋକନୃତ୍ୟ ଡ଼ାଲଖାଇ, ରସରକେଲି, କଣ୍ଢେଇ ନାଚ, ଗୋଟିପୁଅ, ପଶୁମୁଖା, ଘୋଡ଼ାନାଚ, ଢ଼େମସା, ଘୁମୁରା ଆଦି ଅନେକ ନୃତ୍ୟ ପ୍ରତ୍ୟେକ ଦିନ ପ୍ରଦର୍ଶିତ ହେଉଛି ଯାହାକି ସମସ୍ତ ଦର୍ଶକମାନଙ୍କର ପ୍ରଶଂସା ସାଉଁଟିଛି।
ଓଡ଼ିଶୀ
ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ହେଉଛି ଓଡ଼ିଶୀ। ଆହେ ନୀଳ ଶଇଳ (ଓଡ଼ିଶୀ ଅଭିନୟ ନୃତ୍ୟ), ପଲ୍ଲବୀ, ଏକଲବ୍ୟ (ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ ଉପରେ ଆଧାରିତ ଓଡ଼ିଶୀ ଅଭିନୟ ନୃତ୍ୟ) ଆଦି ଓଡ଼ିଶା ମଣ୍ଡପ ମଞ୍ଚରେ ପ୍ରଦର୍ଶିତ ହୋଇଛି। ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ସମସ୍ତ ଦର୍ଶକମାନେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ସମ୍ବନ୍ଧରେ ଅବଗତ ହେବା ସହ ଗୀତା ମହୋତ୍ସବ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ହେଉଥିବାରୁ ସମସ୍ତେ ଏହାର ପ୍ରଶଂସା ମଧ୍ୟ କରିଛନ୍ତି ।
କଣ୍ଡେଇ ନାଚ
ସୂତା କଣ୍ଡେଇ, କାଠି କଣ୍ଡେଇ, ଛାୟା କଣ୍ଢେଇ, ହାତ କଣ୍ଢେଇ, ଜୀବନ୍ତ କଣ୍ଢେଇ ଆଦି ପାଞ୍ଚ ପ୍ରକାରର କଣ୍ଡେଇ ନାଚ ଆମ ଓଡ଼ିଶାରେ ଦେଖିବାକୁ ମିଳିଥାଏ। ଚଳିତବର୍ଷ ଗୀତା ମହୋତ୍ସବରେ ଜୀବନ୍ତ କଣ୍ଢେଇ ନୃତ୍ୟ ଦେଖିବାକୁ ମିଳିଛି ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କଣ୍ଡେଇ ନୃତ୍ୟ ଦେଖିବାକୁ ଓଡ଼ିଶା ମଣ୍ଡପରେ ଦର୍ଶକଙ୍କ ଭିଡ଼ ଜମୁଛି। ଆଜିର ଆଧୁନିକ ଯୁଗରେ ଓଡ଼ିଆ ସଂସ୍କୃତି ଏବଂ ଐତିହ୍ୟକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରିପାରିଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ କଣ୍ଢେଇ ନୃତ୍ୟ। କଣ୍ଡେଇ ଭଳି ବସ୍ତ୍ର ପରିଧାନ କରି ନର୍ତ୍ତକୀମାନେ ନୃତ୍ୟ ପରିବେଷଣ କରୁଛନ୍ତି ଏବଂ ଏହାକୁ ଦେଖିବା ପାଇଁ ସମସ୍ତ ଦର୍ଶକ ବିଶେଷ କରି ଛୋଟ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି।
ପଶୁମୁଖା, ଢ଼େମସା,ବଜାଶାଲ
ହରି-ଅର୍ଜୁନ ଦର୍ଶନ (ନବଗୁଞ୍ଜର), ଶିକାରୀ-ଶବର, ମହିଷାସୁର ମର୍ଦ୍ଦିନୀ ମା’ ଦୁର୍ଗାଙ୍କ ରୂପ ଆଦି ବ୍ରହ୍ମପୁର ଜିଲ୍ଲାର ପ୍ରସିଦ୍ଧ ପଶୁମୁଖା ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ଏଥିସହ କୋରାପୁଟ ଜନଜାତି ସମ୍ପ୍ରଦାୟର ଲୋକନୃତ୍ୟ ଢ଼େମସା, କଳାହାଣ୍ଡିର ବଜାଶାଲ ଆଦିର ପରିବେଷଣ ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରା ବିଶ୍ୱବିଦିତ ହୋଇପାରିଛି।
ଡ଼ାଲଖାଇ ଓ ରସରକେଲି
ଓଡ଼ିଶା ମଣ୍ଡପରେ ପ୍ରଦର୍ଶିତ ହେଉଥିବା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଡ଼ାଲଖାଇ ଓ ରସରକେଲିର ତାଳେ ତାଳେ ନାଚିଛନ୍ତି ଦର୍ଶକ। ଭାଇର ମଙ୍ଗଳ ମନାସି ପୂଜାର୍ଚ୍ଚନା କରିଥାଏ ଭଉଣୀ ଏବଂ ବ୍ରତର ଉଦ୍ଯାପନୀ ଦିନ ଖୁସିରେ ପରିବେଷଣ କରିଥାଏ ଡ଼ାଲ ଖାଇ ନୃତ୍ୟ। ସେହିପରି ପୁଷପୁନେଇଁ, ନୂଆଖାଇରେ ପଶ୍ଚିମାଞ୍ଚଳର ଭଉଣୀମାନେ ପରିବେଷଣ କରନ୍ତି ରସରକେଲି ନୃତ୍ୟ। ରସରକେଲି ବାଦ୍ୟରେ ଓଡ଼ିଶା ମଣ୍ଡପରେ ଦର୍ଶକମାନେ ନିଜେ ନାଚିବ ସହ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରାର ବହୁ ପ୍ରଶଂସା କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ ଆସନ୍ତା ୧୫ ଡିସେମ୍ବର ପର୍ଯ୍ୟନ୍ତ ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ ହେବ। ବିଗତ ଡିସେମ୍ବର ୫ ତାରିଖ ଦିନ ଓଡ଼ିଶା ମଣ୍ଡପର ଉଦଘାଟିତ ହୋଇଥିଲା। ୨୦୧୬ ମସିହାରେ ଗୀତା ମହୋତ୍ସବ ଭାରତରେ ଆରମ୍ଭ ହେବା ପରେ ୨୦୧୯ ମସିହାରୁ ଲଣ୍ଡନ, କାନାଡ଼ା, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ମଧ୍ୟ ଏହାର ଆୟୋଜନ କରାଯାଉଛି।
“ଗୀତା ମହୋତ୍ସବରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ନିର୍ମିତ ହୋଇଥିବା ଓଡ଼ିଶା ମଣ୍ଡପ ହେଉଛି ଓଡ଼ିଆ ଅସ୍ମିତାର ଏକ ନିଚ୍ଛକ ନିଦର୍ଶନ। ଓଡ଼ିଶା ମଣ୍ଡପରେ ଓଡ଼ିଶାର ପ୍ରମୁଖ ଲୋକକଳା, ନୃତ୍ୟକଳା, ଚିତ୍ରକଳା, ହସ୍ତତନ୍ତ, ବୟନଶିଳ୍ପ, ପର୍ଯ୍ୟଟନ ସ୍ଥଳୀ ଏବଂ ଓଡ଼ିଶାର ଖାଦ୍ୟ ପରମ୍ପରା ଆଦିକୁ ବେଶ୍ ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ଏହା ଦେଶ-ବିଦେଶରୁ ଆସୁଥିବା ସମସ୍ତ ଦର୍ଶକମାନଙ୍କ ପାଇଁ ଏକ ଶୈକ୍ଷଣିକ ବିଷୟ ବସ୍ତୁ ଭାବେ କାର୍ଯ୍ୟ କରିବା ସହ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଆମ ଓଡ଼ିଆ ସଂସ୍କୃତିକୁ ଏକ ସ୍ୱତନ୍ତ୍ର ଏବଂ ଅନନ୍ୟ ପରିଚୟ ପ୍ରଦାନ କରିଛି ,” ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।