ଭୁବନେଶ୍ୱର: ଗଛ କାଟିବାରେ ଓଡ଼ିଶା ଦେଶରେ ୭ମ । ୨୦ ବର୍ଷରେ ଜଙ୍ଗଲ କ୍ଷୟ ୯.୮ ପ୍ରତିଶତ । ଜଙ୍ଗଲରେ ନିଆଁ ଲାଗିବା, ଭିତ୍ତିଭୂମି ବିକାଶ ଓ ଖଣି ଖନନ ଆଳରେ ଜଙ୍ଗଲ ନଷ୍ଟ ଭଳି ମନୁଷ୍ୟକୃତ କାରଣ ଏଥିପାଇଁ ଦାୟୀ । ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱସ୍ତରୀୟ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଉଛି । ଜାତିସଂଘ ଜରିଆରେ ଏନେଇ ଚୁକ୍ତିନାମା ସ୍ୱାକ୍ଷରିତ ହେଉଛି । ବ୍ୟାପକ ବୃକ୍ଷରୋପଣ ସହିତ ଅଧ୍ୟୟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ହେଲେ ସମଗ୍ର ବିଶ୍ୱରେ ଜଙ୍ଗଲ ପରିମାଣ ବଢ଼ିବା ପରିବର୍ତ୍ତେ କମି କମି ଚାଲିଛି । ଗଛ କାଟିବା ବନ୍ଦ ହେଉନାହିଁ ।
ପରିବେଶ ସନ୍ତୁଳନ ରକ୍ଷାକ୍ଷେତ୍ରରେ ବିକାଶଶୀଳ ଦେଶଗୁଡ଼ିକ ବେଫିକର । ଏନେଇ ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ଏକ ନିୟୁତରୁ ଅଧିକ ଉପଗ୍ରହ ଚିତ୍ର ଅଧ୍ୟୟନ କରି ରିପୋର୍ଟ ପ୍ରକାଶ କରିବା ପରେ ଅସଲ ଚିତ୍ର ପଦାକୁ ଆସିଛି । ରିପୋର୍ଟ ଅନୁସାରେ ଜଙ୍ଗଲ କ୍ଷୟରେ ଭାରତରେ ୧୦ଟି ରାଜ୍ୟ ପ୍ରମୁଖ ସ୍ଥାନରେ ରହିଛନ୍ତି । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ,ନାଗାଲାଣ୍ଡ, ମିଜୋରାମ, ପଶ୍ଚିମବଙ୍ଗ, କେରଳ, ଛତିଶଗଡ଼ ଏବଂ ଓଡ଼ିଶା ରହିଛି । ଓଡିଶା ସପ୍ତମ, କେରଳ ନବମ ଓ ଛତିଶଗଡ଼ ଦଶମରେ ରହିଛି । ଓଡ଼ିଶା ସପ୍ତମ ସ୍ଥାନରେ ରହିବାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି । ୨୦୦୧ ରୁ ୨୦୨୦ ମଧ୍ୟରେ ଭାରତର ଏହି ପ୍ରମୁଖ ରାଜ୍ୟରେ ୨୦ ଲକ୍ଷ ହେକ୍ଟରରୁ ଅଧିକ ଜମିରୁ ଗଛ କଟା ଯାଇଛି । ୨୦୦୦ ପରଠାରୁ ଗଛ ଲଗାଯାଇଥିବା ଜମିର ପ୍ରାୟ ୫ ପ୍ରତିଶତ ହ୍ରାସପାଇଛି । ଏହି ତିନି ଚତୁର୍ଥାଂଶ କ୍ଷତିର ପରିମାଣ ଭାରତର ଉତ୍ତର-ପୂର୍ବ ସାତୋଟି ରାଜ୍ୟରେ ହିଁ ଦେଖାଯାଇଛି ।
ଗତ ଦୁଇଦଶନ୍ଧିରେ ୧.୯୩ ମେଗା ହେକ୍ଟର ଜମି ଗଛଦ୍ୱାରା ଆଚ୍ଛାଦିତ ହୋଇଥିବାବେଳେ ଏହାର ୭୬.୭ ପ୍ରତିଶତ ଉତ୍ତର-ପୂର୍ବ ରାଜ୍ୟରେ ରହିିଥିଲା । ଗତ ୨୦ ବର୍ଷରେ ସର୍ବାଧିକ ବୃକ୍ଷ ନଷ୍ଟ ହେବା କାରଣରୁ ଜଙ୍ଗଲ ପରିମାଣ କମିବାରେ ଲାଗିଛି ।
ଅଧ୍ୟୟନ ଅନୁଯାୟୀ, ଆସାମରେ ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ ୧୪.୧% ଜଙ୍ଗଲ କ୍ଷୟ ହୋଇଛି । ୨୦୦୧ ରୁ ୨୦୨୦ ମଧ୍ୟରେ ମିଜୋରାମରେ ୨୪୭ ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି । ସର୍ବ ଭାରତୀୟ ସ୍ତରରେ ତାହା ସମୁଦାୟ ଜଙ୍ଗଲର ୧୩ ପ୍ରତିଶତ ।
ସେହିପରି ନାଗାଲାଣ୍ଡରେ ଜଙ୍ଗଲ କ୍ଷୟ ପରିମାଣ ୧୧.୯ ପ୍ରତିଶତ ଥିବାବେଳେ ଅରୁଣାଚଳରେ ଏହା ୧୧.୬ ପ୍ରତିଶତ । ପଶ୍ଚିମବଙ୍ଗରେ ସାଢ଼େ ୧୦ ପ୍ରତିଶତ ଜଙ୍ଗଲ କ୍ଷୟ ହୋଇଥିଲାବେଳେ ଓଡ଼ିଶାରେ ତାର ପରିମାଣ ୯.୮ ପ୍ରତିଶତ । ଅନ୍ୟପକ୍ଷରେ ଭାରତ ସରକାରଙ୍କ ରିପୋର୍ଟ ଅନୁସାରେ ଓଡ଼ିଶାରେ ୪୮,୮୫୫ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲରେ ଆଚ୍ଛାଦିତ ରହିଛି । ଏଥିରୁ ୭,୦୭୩ ବର୍ଗ କିଲୋମିଟର ଅଞ୍ଚଳ ଘଞ୍ଚ ଜଙ୍ଗଲ, ୨୧,୩୯୪ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟମ ଧରଣର ଜଙ୍ଗଲ ଏବଂ ୨୦,୩୮୮ ବର୍ଗ କିଲୋମିଟର ଅଞ୍ଚଳ ଖୋଲା ଜଙ୍ଗଲ ରହିଛି ।