ନୂଆଦିଲ୍ଲୀ : ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସ୍ପେକ୍ଟ୍ରମର ନିଲାମକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଟେଲିକମ୍ ମନ୍ତ୍ରାଳୟର ପ୍ରସ୍ତାବ ଅନୁଯାୟୀ ଆସନ୍ତା ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ୍ ନିଲାମ ହେବ । ନିଲାମରେ ସଫଳ ହୋଇଥିବା କମ୍ପାନୀ ଏହା ମାଧ୍ୟମରେ ୫ଜି ସେବା ଯୋଗାଇବାରେ ସକ୍ଷମ ହେବ । ବର୍ତ୍ତମାନ ପ୍ରଚଳିତ ୪ଜି ସେବା ଅପେକ୍ଷା ଏହା ୧୦ଗୁଣ ଅଧିକ ତୀବ୍ର ଗତିରେ ଚାଲିବ । ୫ଜିର ପ୍ରଥମ ପର୍ଯ୍ୟାୟ ସେବାରେ ଓଡ଼ିଶା ନ ଥିବା ଜଣାପଡ଼ିଛି । ଯଦିଓ ଦେଶରେ ୫ଜି ସେବା ଆରମ୍ଭ କରିବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, କିନ୍ତୁ ସରକାରଙ୍କ ଆଦେଶ ଅନୁଯାୟୀ, ସ୍ପେକ୍ଟ୍ରମ କିଣୁଥିବା କୌଣସି କମ୍ପାନୀକୁ ୬ ମାସରୁ ୧ ବର୍ଷ ମଧ୍ୟରେ ୫ଜି ସେବା ଆରମ୍ଭ କରିବାକୁ ପଡ଼ିବ । ଅନେକ ଟେଲିକମ୍ ଅପରେଟର ସେମାନଙ୍କର ପ୍ରସ୍ତୁତି ସମାପ୍ତ କରିଛନ୍ତି, ତେଣୁ ସେମାନେ ସ୍ପେକ୍ଟ୍ରମ୍ କ୍ରୟ କରିବାର ୩ରୁ ୬ମାସ ମଧ୍ୟରେ ସେବା ଆରମ୍ଭ କରିପାରିବେ ।
୫ଜି ସେବା ଦେଶର ୧୩ ସହରରେ ପ୍ରଥମେ ଆରମ୍ଭ କରାଯିବ । ସେହି ସହରଗୁଡ଼ିକ ହେଲା-ଦିଲ୍ଲୀ, ଗୁରୁଗ୍ରାମ, ଲକ୍ଷ୍ନୌ, ଚଣ୍ଡିଗଡ଼, ଅହମଦାବାଦ, ଜାମନଗର, ଗାନ୍ଧୀନଗର, ମୁମ୍ବାଇ, ପୁଣେ, ବେଙ୍ଗାଲୁର, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଆଦି ସହର ରହିଛି ।
୨୦ବର୍ଷର ବୈଧତା ଅବଧି ସହିତ ସମୁଦାୟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ଜୁଲାଇ ୦୨୨ ଶେଷ ସୁଦ୍ଧା ନିଲାମ ହେବ । କମ୍ (୬୦୦ମେଗାହର୍ଜ, ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ), ମଧ୍ୟମ (୩୩୦୦ ମେଗାହର୍ଜ) ଏବଂ ଉଚ୍ଚ (୨୬୦୦୦ ମେଗାହର୍ଜ) ଫ୍ରିକ୍ୱେନ୍ସି ବ୍ୟାଣ୍ଡ ପାଇଁ ସ୍ପେକ୍ଟ୍ରମ୍ ନିଲାମ ହେବ । ୨୦ ଜିବିପିଏସ୍ ପର୍ଯ୍ୟନ୍ତ ଡାଟା ଡାଉନଲୋଡ୍ ସ୍ପିଡ୍ ୫ଜି ନେଟୱାର୍କରେ ମିଳିପାରିବ ।
ଭାରତରେ ୫ଜି ନେଟୱାର୍କର ପରୀକ୍ଷଣ ସମୟରେ ଡାଟା ଡାଉନଲୋଡ୍ର ସର୍ବାଧିକ ଗତି ୩.୭ ଜିବିପିଏସ୍ରେ ପହଞ୍ଚିଛି । ତିନିଟି କମ୍ପାନୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ଜିଓ ୫ଜି ନେଟୱାର୍କ ଟ୍ରାଏଲରେ ୩ ଜିବିପିଏସ୍ ପର୍ଯ୍ୟନ୍ତ ଡାଟା ଡାଉନଲୋଡ୍ ଉପରେ ସ୍ପିଡ୍ ଟେଷ୍ଟ କରିଛନ୍ତି । ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବା ସହିତ ଭାରତରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଏହା କେବଳ ଲୋକଙ୍କ କାର୍ଯ୍ୟକୁ ସହଜ କରିବ ନାହିଁ, ବରଂ ମନୋରଞ୍ଜନ ଏବଂ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ କରିବ । ୫ଜି ପାଇଁ କାର୍ଯ୍ୟ କରୁଥିବା ଏକ କମ୍ପାନୀ ଏରିକ୍ସନ୍ର ଆକଳନ ଅନୁଯାୟୀ ଭାରତରେ ୫ ବର୍ଷ ମଧ୍ୟରେ ୫୦୦ ମିଲିୟନରୁ ଅଧିକ ୫ଜି ଇଣ୍ଟରନେଟ୍ ବ୍ୟବହାରକାରୀ ରହିବେ । ୪ଜି ସେବାରେ ୮୦ କୋଟି ଗ୍ରାହକ ବ୍ରଡବ୍ୟାଣ୍ଡ ବ୍ୟବହାର କରୁଛନ୍ତି ।