17.1 C
Bhubaneswar
Monday, November 18, 2024
Homeରାଜନୀତିଦିଲ୍ଲୀ ବିମାନ ବନ୍ଦରଠାରେ ବିଜେଡି ନେତା ଓ କାର୍ଯ୍ୟକର୍ତାଙ୍କ ଅଭାବନୀୟ କାଣ୍ଡ, ଓଡିଶାକୁ ନିନ୍ଦିତ ଓ...

ଦିଲ୍ଲୀ ବିମାନ ବନ୍ଦରଠାରେ ବିଜେଡି ନେତା ଓ କାର୍ଯ୍ୟକର୍ତାଙ୍କ ଅଭାବନୀୟ କାଣ୍ଡ, ଓଡିଶାକୁ ନିନ୍ଦିତ ଓ ଲଜ୍ଜିତ କରିଛି ବିଜେଡି : ଇରାସିସ୍

ଭୁବନେଶ୍ୱର : ଗତ ୪ ତାରିଖ ଦିନ ଦିଲ୍ଲୀ ବିମାନ ବନ୍ଦରଠାରେ ବିଜେଡି ନେତା ଓ କାର୍ଯ୍ୟକର୍ତାଙ୍କ ଅଭାବନୀୟ କାଣ୍ଡ କାରଣରୁ ଆଜି ସମଗ୍ର ଓଡିଶା ନିନ୍ଦିତ ଓ ଲଜ୍ଜିତ ହୋଇଛି । ଗୋଟିଏ ପଟେ ଏହି ଘଟଣାକୁ ଶାସକ ବିଜେଡି ଦ୍ୱାରା ଚାପି ଦେବାର ଅପପ୍ରୟାସ କରାଯାଉଥିବାବେଳେ ଏବଂ ଅନ୍ୟ ପଟେ ଦଳର ମୁଖିଆ ଏଭଳି ଲଜ୍ଜାଜନକ ଘଟଣାକୁ ହାଲୁକା ଭାବେ ନେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀଠାରେ ଏକ ଘରୋଇ ସଂସ୍ଥାଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଇଥିଲେ । ଏହି ଉତ୍ସବରେ ଯୋଗ ଦେବା ପାଇଁ ଓଡିଶାରୁ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ, ଯୁବନେତା ଏବଂ ବହୁ ବିଜେଡି କର୍ମୀ ଦିଲ୍ଲୀ ଗସ୍ତ କରିଥିଲେ ।

ପୁରସ୍କାର ସମାରୋହ ଶେଷ ହେବା ଓଡିଶା ପ୍ରତ୍ୟାବର୍ତନ ସମୟରେ ଦିଲ୍ଲୀ ବିମାନବନ୍ଦରଠାରେ ଶାସକ ବିଜେଡିର ଯୁବ ବିଧାୟକ, ଯୁବନେତା ଓ କାର୍ଯ୍ୟକର୍ତାମାନେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଯେଉଁ କାଣ୍ଡ ଭିଆଇଲେ, ଏହା କେଉଁ ଭଳି ‘ଜୀବନବ୍ୟାପୀ ସାଧନାର ଫଳ’ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ନିଶାସକ୍ତ ଅବସ୍ଥାରେ ଥିବା କିଛି ଯୁବ ବିଧାୟକ ତଥା ବିଜୁ ଯୁବ ଜନତା ଦଳର ପ୍ରମୁଖ ନେତୃବୃନ୍ଦମାନେ ପାଇଲଟ ଓ ବିମାନବନ୍ଦର କର୍ମଚାରୀଙ୍କ ସହିତ ଅସଦ୍ ଆଚରଣ ଏବଂ ଅଯଥା ଯୁକ୍ତିତର୍କ କାରଣରୁ ସେଠାରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଅଧ ଘଂଟା ବିଳମ୍ବ କାରଣରୁ ଇଣ୍ଡିଗୋ ଇ-୩୨୦ ବିମାନରେ ଆସୁଥିବା ବିମାନଯାତ୍ରୀ ନାହିଁ ନଥିବା ହଇରାଣ ଶିକାର ହୋଇଥିଲେ । ଶେଷରେ ବିମାନଟି ତାଙ୍କୁ ନଆଣି କେବଳ ସେମାନଙ୍କ ବ୍ୟାଗ ଓ ଲଗେଜକୁ ନେଇ ଭୁବନେଶ୍ୱର ଆସିଥିଲା ।

ଏହି ଘଟଣା ସଂପର୍କରେ ଓଡିଶା ସମେତ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା କାରଣରୁ ଓଡିଶା ଆଜି ନିନ୍ଦିତ ଅପମାନିତ ହୋଇଛି । ଗତ ୩ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ଯୁବମୋର୍ଚ୍ଚା ତରଫରୁ ଯେଉଁ ୨୨ଟି ପ୍ରଶ୍ନ ରାଜ୍ୟ ସରକାରଙ୍କୁ ପଚରା ଯାଇଥିଲା, ସେଥିରେ ଥିବା ୯ନମ୍ବର ପ୍ରଶ୍ନରେ ଓଡିଶାରେ ନିଶା କାରବାର ବୃଦ୍ଧି ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା ଏବଂ ତାର ଜବାବ୍ ଶାସକ ଦଳ ଦେବା ପୂର୍ବରୁ ତାଙ୍କର ନେତାମାନେ ନିଜ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । କେନ୍ଦ୍ର ସରକାରଙ୍କ ବିନାନୁମତିରେ ଜାତୀୟ ପ୍ରତୀକର ଚିହ୍ନ ଲାଗିବା ଏକ ଦଣ୍ଡନୀୟ ଅପରାଧ । ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ଓ ପ୍ରାଇଭେଟ୍ ସଂସ୍ଥା ବିନା କେନ୍ଦ୍ରୀୟ ଅନୁମୋଦନରେ ବ୍ୟବହାର କରିପାରିବେନାହିଁ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ନାମକ ପ୍ରାଇଭେଟ ସଂସ୍ଥାରୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପୁରସ୍କାରରେ ଜାତୀୟ ପ୍ରତୀକ ରହିଛି । ତାହେଲେ ଏଭଳି ପୁରସ୍କାରକୁ ନେଇ ଶାସକ ବିଜେଡିର ଆନନ୍ଦ ଓ ଉଲ୍ଲାସ କେବଳ ଏକ ପ୍ରହସନ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ବିଜୁ ଜନତା ଦଳ କ’ଣ ଆଇନ୍‌ର ଉର୍ଦ୍ଧ୍ୱରେ? ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ଆଳରେ ଗତ ୬ ତାରିଖ ଦିନ ରାଜରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡି, ମଟର, ଆମ୍ବୁଲାନ୍ସ ଅଟକି ରହିଲା । ରୋଗୀମାନେ ଡାକ୍ତରଖାନାକୁ ଯାଇନପାରି କଷ୍ଟ ପାଇଲେ । ଆଇନଶୃଙ୍କଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିଲା । ଭୁବନେଶ୍ୱରର ମଧ୍ୟସ୍ଥଳୀରେ ଥିବା କ୍ୟାପିଟାଲ୍ ହସ୍ପିଟାଲର ଚାରିପଟେ ଭିଡ ଜମି ରହିବାରୁ ରୋଗୀ ଓ ସାଧାରଣ ଜନତା ବହୁ କଷ୍ଟର ସମ୍ମୁଖୀନ ହୋଇଥିବାବେଳେ ଶାସକ ବିଜେଡିର ନେତାମାନେ ଏହାକୁ ସାଧାରଣ କଥା କହି ଏଡାଇ ଦେବା ସମ୍ବେଦନହୀନତାର ପରିଚୟ । ଆଇନ ଶୃଙ୍ଖଳାର କଥା ହେଉ ବା ନିଶାର କଥା ହେଉ ବିଜେଡି ନେତାମାନଙ୍କର ଆଚାର ଓ ସ୍ୱଭାବ ଯୋଗୁଁ ସାଧାରଣ ଜନତାଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ଅବସରରେ ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡଜେନା, ଯୁବମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଶଶାଙ୍କ ରାଜ୍‌, ରାଜ୍ୟ ସାଧାରଣ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ ଓ ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking